Cm Mohan

ଭୁବନେଶ୍ବର: କନ୍ଧମାଳ ଜିଲ୍ଲାରେ ଆମ୍ବଟାକୁଆ ଖାଇ ୨ଜଣ ମହିଳାଙ୍କ ମୃତ୍ୟୁ ହେବା ଘଟଣାର ଆରଡିସିସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, କନ୍ଧମାଳରେ ଆମ୍ବଟାକୁଆ ଖାଇ ମୃତ୍ୟୁ ହେବା ଘଟଣାର ତଦନ୍ତ ରାଜସ୍ୱ ଡିଭିଜନ କମିଶନର(ଆରଡିସି) କରିବେ । ଏନେଇ ଖୁବଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ଓ ଏସଓପି ଜାରି ହେବ । ଭବିଷ୍ୟତରେ ଯେଭଳି ଏପରି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ମଧ୍ୟ ଆରଡିସି ଆବଶ୍ୟକ ମତାମତ ଦେବେ ବୋଲି ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ, କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଂଚାୟତର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଖାଇ ମୃତ୍ୟୁ ହୋଇଥିବା ଘଟଣାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବିରୋଧୀ କଂଗ୍ରେସ ଏନେଇ ଆଜି ରାଜ୍ୟପାଳଙ୍କୁ ଭେଟି ଫେରାଦ ହେବା ସହ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ଦାବି କରିଛି । କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ମଧ୍ୟ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରି ଫେରିବା ପରେ କଂଗ୍ରେସର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ଆଦିବାସୀ ଅଂଚଳରେ ପେସା ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ କନ୍ଧମାଳ ଓ ଗଜପତି ଜିଲ୍ଲାର ବିକାଶ ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ନିମନ୍ତେ ମଧ୍ୟ ପ୍ରସ୍ତାବ ଦେଇଛି ।
ତେବେ ଏହି ଆମ୍ବଟାକୁଆ ଖାଇ ମୃତ୍ୟୁ ହେବା ଘଟଣାରେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡିର ଆଭିମୁଖ୍ୟ ନୈରାଶ୍ୟଜନକ ରହିଛି । ଦଳୀୟ ନେତାମାନେ କେବଳ ବୟାନବାଜି କରୁଥିଲେ ମଧ୍ୟ ଆଇନଗତ ପଦକ୍ଷେପ ନେବା ପାଇଁ ଓ ପ୍ରଭାବିତ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଆବଶ୍ୟକ ଚାପ ସୃଷ୍ଟି କରିବାରେ ବିଜେଡି ସକ୍ଷମ ହୋଇପାରିନି ।
ଅନ୍ୟପକ୍ଷରେ ରାଜ୍ୟ ସରକାର ଏହି ଘଟଣା ପରେ ଉକ୍ତ ଗାଁକୁ ଜିଲ୍ଲା ପ୍ରଶାସନ ଓ ଡାକ୍ତରୀ ଟିମ୍ ପଠାଇ ମୃତ୍ୟୁର କାରଣ ଯାଂଚ କରିଛନ୍ତି । ଏହା ସହିତ ଫୁଡ଼ପଏଜିନିଂ କାରଣରୁ ମୃତ୍ୟୁ ହୋଇଥିବା କହିଛନ୍ତି । ଏବେ ଅନ୍ୟ ପ୍ରଭାବିତଙ୍କୁ ସରକାରୀସ୍ତରରେ ଚିକିତ୍ସା ଯୋଗାଇ ଦିଆଯାଉଛି ।
ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଂଚାୟତର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଖାଇ ମୃତ୍ୟୁ ହୋଇଥିବା ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ଡାକ୍ତରୀ ଦଳ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ନଭେମ୍ବର ୧ ତାରିଖ ସକାଳୁ ସେହି ଗାଁକୁ ଯାଇ ତଦନ୍ତ ଓ ତର୍ଜମା କରିଥିଲେ । ସମସ୍ତ ଅସୁସ୍ଥ ବ୍ୟକ୍ତିଙ୍କୁ ତୁରନ୍ତ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା । ସେଠାରେ ରମିତା ପାଟମାଝୀ ଓ ରୁନୁ ମାଝୀଙ୍କ ମୃତ୍ୟୁ ହୋଇଥିଲା । ପରେ ଉଚ୍ଚ ଚିକିତ୍ସା ପାଇଁ ଚିକିତ୍ସାଧୀନ ବ୍ୟକ୍ତିଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଏହି ବ୍ୟକ୍ତିମାନେ ନିଜର ନିୟମିତ ଖାଦ୍ୟ ଭାବେ ପଖାଳ ଓ ଆମ୍ବଟାକୁଆ ଜାଉ ଖାଇଥିଲେ, ଆଉ ଫୁଡ ପଏଜନିଂ କାରଣରୁ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ ବୋଲି ଜିଲ୍ଲା ପ୍ରଶାସନ ଓ ଡାକ୍ତରୀ ଦଳ ଯାଂଚ ପରେ ରିପୋର୍ଟ ଦେଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ ୩୦ହଜାର ଟଙ୍କା ଓ ଚିକତ୍ସାଧୀନ ବ୍ୟକ୍ତିଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।

Share