Image 1707476782

ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନଙ୍କ କାର୍ଯ୍ୟକାଳ ସରିଛି। ଆଜି ରାଜ୍ୟସଭାରେ ତାଙ୍କର ଶେଷ ଦିନ ଥିଲା। ରାଜ୍ୟସଭାରୁ ବିଦାୟୀ ନେବା ବେଳେ ସମସ୍ତ ସଦସ୍ୟଙ୍କୁ କ୍ଷମା ମାଗିଛନ୍ତି ଜୟା। ମୁଁ ହଠାତ୍ ରାଗିଯାଏ, ହେଲେ କାହାକୁ ଆଘାତ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନଥାଏ ବୋଲି କହିଛନ୍ତି।

ସମସ୍ତଙ୍କୁ ହାତ ଯୋଡ଼ି କ୍ଷମା ମାଗିବା ବେଳେ ଜୟା କହିଛନ୍ତି, “ଲୋକମାନେ ମୋତେ ପଚାରନ୍ତି ମୁଁ କାହିଁକି ଏତେ ରାଗିଯାଏ। ଏହା ମୋର ସ୍ୱଭାବ, ମୁଁ ନିଜକୁ କିପରି ବଦଳାଇ ପାରିବି। ଯଦି ମୋତେ କିଛି ଭଲ ଲାଗେ ନାହିଁ କିମ୍ବା ସମ୍ପୃକ୍ତ ପ୍ରସଙ୍ଗରେ ମୋର ସହମତ ନଥାଏ, ତେବେ ମୁଁ ମୋ ନିଜକୁ ଭୁଲିଯାଏ, ହଠାତ୍ କ୍ରୋଧିତ ହୋଇଯାଏ।”

ଯଦି ମୁଁ ଆପଣଙ୍କ ମଧ୍ୟରୁ କାହା ସହିତ ଅନୁପଯୁକ୍ତ ଆଚରଣ କରିଛି, କିମ୍ବା କାହାକୁ ବ୍ୟକ୍ତିଗତ ଭାବେ ମୋ କଥା ଆଘାତ ଦେଇଛି, ତେବେ ମୁଁ ଆପଣ ସମସ୍ତଙ୍କୁ କ୍ଷମା ମାଗୁଛି ବୋଲି ଜୟା ବଚ୍ଚନ କହିଛନ୍ତି। ଗୃହରେ 20 ବର୍ଷର ଅନୁଭୂତି ବିଷୟରେ ଆଲୋଚନା କରି କହିଛନ୍ତି, “20 ବର୍ଷ ଜୀବନରେ ବହୁତ ଲମ୍ବା ସମୟ। ମୋର ଅନେକ ମିଠା ଏବଂ ଖଟା ଅନୁଭୂତି ଥିଲା। ସର୍ବୋତ୍ତମ ଅନୁଭୂତି ହେଉଛି ମୋ ପରିବାର ବହୁତ ବଡ଼ ହୋଇଗଲା। ମୁଁ ଚାହୁଁଛି ଏ ଗୃହ ସର୍ବଦା ସମୃଦ୍ଧ ହେଉ ଏବଂ ଗୃହର ଗାରିମା ବଢୁ।

ପ୍ରକାଶ ଥାଉ କି, ଆସନ୍ତା ଅପ୍ରେଲରେ ରାଜ୍ୟସଭାର 68 ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି, ସେମାନଙ୍କ ମଧ୍ୟରୁ ସମାଜବାଦୀ ପାର୍ଟିର ସଦସ୍ୟ ଜୟା ବଚ୍ଚନ ଅନ୍ୟତମ।

Share