Image 1730967308

ଏଣିକି ଆଉ ସୋଶାଲ ମିଡିଆ ବ୍ୟବହାର କରିପାରିବେନି ଛୋଟ ପିଲା। ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମ ଦେଖି ପାରିବେନି ୧୬ ବର୍ଷରୁ କମ୍‌ ବୟସ୍କ। ବ୍ୟାନ୍‌ ଲାଗାଇଲେ ଅଷ୍ଟ୍ରେଲିଆ ସରକାର।

ଗୁରୁବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ଏହି ନୂଆ ନିୟମ ଲାଗି କରିଛନ୍ତି। ନିୟମ ମୁତାବକ, ୧୬ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ ସୋଶାଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ପିଲାମାନଙ୍କର ବାପା-ମା’ଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଥିବା ସେ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଆଲବାନି କହିଛନ୍ତି ଯେ ସୋଶାଲ ମିଡିଆ ଆମ ପିଲାମାନଙ୍କୁ କ୍ଷତି ପହଞ୍ଚାଉଛି ଏବଂ ଏହାକୁ ବନ୍ଦ କରିବାର ସମୟ ଆସିଛି। ଚଳିତ ବର୍ଷ ସଂସଦରେ ଏହି ଆଇନ ପ୍ରଣୟନ କରାଯିବ। ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।

ଆଇନ୍‌ ଲାଗୁ ହେବା ପରେ ପିଲାମାନେ ଇନ୍‌ଷ୍ଟାଗ୍ରାମ ଓ ଫେସ୍‌ବୁକ୍‌ ସହ ଭିଡିଓ ଶେୟାରିଂ ଟିକ୍-ଟକ୍‌ ଏବଂ ଏକ୍ସ ଭଳି ସୋଶାଲ ମିଡିଆ ପ୍ଲାଟଫର୍ମର ବ୍ୟବହାର କରିପାରିବେ ନାହିଁ। କେବଳ ଏତିକି ନୁହେଁ, ଅଷ୍ଟ୍ରେଲିଆ ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ବୟସ ଯାଞ୍ଚ ପ୍ରଣାଳୀର ପ୍ରଯୁକ୍ତିବିଦ୍ୟା ପରୀକ୍ଷା ମଧ୍ୟ କରୁଛି।

ଆଲବାନି କହିଛନ୍ତି, ସୋଶାଲ ମିଡିଆ ଆମ ପିଲାମାନଙ୍କୁ କ୍ଷତି ପହଞ୍ଚାଉଛି। ସୋଶାଲ ମିଡିଆ ବ୍ୟବହାର କରିବାକୁ ବାପା-ମା’ଙ୍କ ସମ୍ମତି ଥିବା ନାବାଳକ ୟୁଜର୍ସଙ୍କ ପାଇଁ କୌଣସି ରିହାତି ମିଳିବ ନାହିଁ। ସୋଶାଲ ମିଡିଆର ଅତ୍ୟଧିକ ବ୍ୟବହାରରୁ ପିଲାମାନଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି।

Share