Mahanadi 2025 09 06 12 08 22

ବାରଙ୍ଗ : ମହାନଦୀରେ ପୁଣି ଅଘଟଣ ଘଟିଛି। ବର୍ଷାଋତୁର ଶୀତଳ ସନ୍ଧ୍ୟା ସମୟରେ ସେଲଫି ନେଉଥିଲା ବେଳେ ୩ଜଣ ଯୁବକ ଭାସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ନିଖୋଜ ଯୁବକ ମାଛୁଆ ବଜାର ଅଞ୍ଚଳର ଆକାଶ ବେହେରା (୨୩)।

ସୂଚନା ଅନୁସାରେ କଟକ ମାଛୁଆ ବଜାର ଅଞ୍ଚଳରୁ ଆଜି ସନ୍ଧ୍ୟାରେ ୩ଜଣ ଯୁବକ ନରାଜ ପୁରୁଣା ବନ୍ଧ ପାଖରେ ବୁଲାବୁଲି କରୁଥିଲେ। ସେମାନେ ସେଲଫି ନେଉଥିଲା ‌ବେଳେ ଭୁଲବଶତଃ ପାଣିରେ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଓଡ୍ରାଫ୍‌ ଟିମ୍‌କୁ ସୂଚନା ଦେଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ୨ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ଯୁବକ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସନ୍ଧ୍ୟା ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ପହଞ୍ଚିଛି।

ସୂଚନାଯୋଗ୍ୟ, ଗତମାସ ୨୮ ତାରିଖ ସନ୍ଧ୍ୟାରେ ଜଗତପୁର ଖଇରା ବ୍ରିଜ ସାତବାଟିଆ ନିକଟ ମହାନଦୀକୁ କଟକର ଚାଉଳିଆଗଂଜ ଥାନା ଅଧୀନ ନୟାବଜାର ନିକଟ ମହିମା ନଗରରେ ରହୁଥିବା ଜଗତସିଂହପୁର ଜିଲ୍ଲା କୃଷ୍ଣନନ୍ଦପୁର ଥାନା ଅଧୀନ ଲଙ୍କାପଡ଼ା ବାସିନ୍ଦା ପ୍ରଦୀପ୍ତ ସ୍ବାଇଁଙ୍କ ପୁଅ ପ୍ରତ୍ୟୁଷ, କଟକ ସିଆରଆରଇ ଥାନା ଅଧୀନ ନୟାବଜାର ପୋଟାପଖରୀ ବାସିନ୍ଦା ନରୋତ୍ତମ ସାହୁଙ୍କ ପୁଅ ଅଜିତ ସାହୁ, ମଧୁପାଟଣା ଥାନା ଅଧୀନ ବେଲେଶ୍ବର ବାସନ୍ଦା ମୁକ୍ତି ପ୍ରସାଦ ଦାସ ଏବଂ କଲ୍ୟାଣୀ ନଗରର ଅମ୍ଲାନ ପ୍ରସାଦ ନାୟକ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ସେମାନେ ଗାଧୋଉଥିବା ବେଳେ ଅମ୍ଲାନ ଜଳର ଗଭୀରତା ଜାଣିପାରି ନିୟନ୍ତ୍ରଣ ହରାଇଥିଲେ। ତେଣୁ ଅମ୍ଲାନଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ତିନି ଜଣ ସାଙ୍ଗ ଉଦ୍ୟମ କରିଥିଲେ। ଅମ୍ଲାନ କିନ୍ତୁ କୌଣସି ପ୍ରକାରରେ ସୁରକ୍ଷିତ ଭାବେ ସ୍ଥଳଭାଗକୁ ଫେରି ଆସିଥିଲେ। କିନ୍ତୁ ପ୍ରତ୍ୟୁଷ, ଅଜିତ ଏବଂ ମୁକ୍ତି ପ୍ରସାଦ ପାଣିରେ ଭାସି ଯାଇଥିଲେ। କଟକ ଜିଲ୍ଲା ଜଗତପୁର ଖଇରା ବ୍ରିଜ ସାତବାଟିଆ ନିକଟ ମହାନଦୀରେ ଏହି ଅଘଟଣ ଘଟିଥିଲା। ପ୍ରବଳ ଗରମ ଏବଂ ଗୁଳୁଗୁଳିରୁ ଆଶ୍ବସ୍ତି ପାଇବା ଆଶାରେ ଗାଧୋଇବାକୁ ଯାଇଥିବା ୩ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

Share