Mixcollage 22 Feb 2025 04 56 Pm

କେନ୍ଦୁଝର: ପ୍ରଜାପିତା ବ୍ରହ୍ମକୁମାରୀ କେନ୍ଦୁଝର ଶାଖାର ନବନିର୍ମିତ କାର୍ଯ୍ୟାଳୟ ‘ସୁଖ ଶାନ୍ତି ସରୋବର’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ସୁନ୍ଦର, ଅଧ୍ୟାତ୍ମିକ ପୃଥିଵୀର ପରିକଳ୍ପନାକୁ ବାସ୍ତବିକତାର ରୂପ ଦେବାପାଇଁ ଆମର ଚେତନାରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଏଥିପାଇଁ ସମସ୍ତଙ୍କର ସହଯୋଗ ଓ ସହଭାଗିତା ଜରୁରୀ। ଆଜି କେବଳ ଏହି ଭବ୍ୟ ନୂତନ କୋଠାର ଉଦଘାଟନ ନୁହେଁ, ବରଂ ସାରା ବିଶ୍ୱରେ ଶାନ୍ତି ଓ ଆଧ୍ୟାତ୍ମିକ ଜ୍ଞାନ ପ୍ରସାର କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି । ଏହା ସହ ଆଧ୍ୟାତ୍ମିକ ଜୀବନଶୈଳୀ ଆମକୁ ସରଳ, ନିରାଡମ୍ବର ଏବଂ ମିତବ୍ୟୟୀ ହେବାକୁ ପ୍ରେରଣା ଦେଉଛି।

ଉଦଘାଟିତ ହୋଇଥିବା ‘ସୁଖ ଶାନ୍ତି ସରୋବର’ କୋଠା କେବଳ ଇଟା ଏବଂ ସିମେଣ୍ଟ ନୁହେଁ ବରଂ ଏହା ଜ୍ଞାନ ଏବଂ କରୁଣାର ଏକ ପବିତ୍ର ସ୍ଥାନ, ଏକ ସ୍ଥାନ ଯେଉଁଠାରେ ବ୍ୟକ୍ତିମାନେ ଆଧ୍ୟାତ୍ମିକ ସଶକ୍ତିକରଣ ମାଧ୍ୟମରେ ଶିଖିବା, ବୃଦ୍ଧି ପାଇବା ଏବଂ ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିବା ପାଇଁ ଏକାଠି ହେବେ ବୋଲି ସେ ପ୍ରକାଶ କରିଛନ୍ତି।

ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ତେଲକୋଇ ବିଧାୟକ ଡକ୍ଟର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ, ବ୍ରହ୍ମକୁମାରୀ କଟକ ସବ-ଜୋନ ନିର୍ଦ୍ଦେଶିକା ତଥା ରାଜଯୋଗିନୀ ଭଉଣୀ କମଲେଶ ଦିଦିଜୀ, ବ୍ରହ୍ମାକୁମାରୀ ସଂସ୍ଥାର ଅତିରିକ୍ତ ମୁଖ୍ୟ ତଥା ରାଜଯୋଗିନୀ ଭଉଣୀ ଜୟନ୍ତୀ ଦିଦିଜୀ ପ୍ରମୁଖ ଉପସ୍ଥିତ ଥିଲେ।

Share