Let Commander Abu Musa 232224845 16x9 0 750x430

ଶ୍ରୀନଗର : ଲସ୍କର-ଇ-ତୋଇବା କମାଣ୍ଡର ଅବୁ ମୁଶା ପହଲଗାଓଁ ଆକ୍ରମଣର ମାଷ୍ଟର ମାଇଣ୍ଡ ବୋଲି କୁହାଯାଇଛି। ଚଳିତମାସ ୧୮ରେ ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ର ରାୱଲକୋଟ୍‌ରେ ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ଅବୁ ଏହି ଆକ୍ରମଣ ସମ୍ପର୍କରେ ପ୍ରାକ୍‌ ସୂଚନା ଦେଇଥିଲା। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯାଇଥିବାରୁ ଆତଙ୍କବାଦୀ ଆକ୍ରମଣ ଜରିଆରେ ଏହି ଅଞ୍ଚଳର ଭୌଗୋଳିକ ସ୍ଥିତିକୁ ସମ୍ପୂର୍ଣ୍ଣ ବଦଳାଇ ଦିଆଯିବ ବୋଲି ଅବୁ ସେତେବେଳେ ଧମକ ଦେଇଥିଲା। ଭାରତ ସରକାରଙ୍କୁ ଚାଲେଞ୍ଜ ଦେଇ ଅବୁ କହିଥିଲା ଯେ ଭାରତ କାଶ୍ମୀରରେ ୧୦ ଲକ୍ଷ ସୈନ୍ୟ ମୁତୟନ କରିଥିବା ସତ୍ତ୍ବେ ନରସଂହାର ଅବ୍ୟାହତ ରହିବ। ଦୁଇ ପାକ୍‌ ଆତଙ୍କବାଦୀ ଆକିଫ୍‌ ହଲିମ ଓ ଅବଦୁଲ ୱାହାବକୁ ଏନ୍‌କାଉଣ୍ଟରରେ ନିପାତ କରାଯାଇଥିବା ପ୍ରତିଶୋଧରେ ଏଭଳି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି। ଅନ୍ୟପଟେ ସୁରକ୍ଷା ଏଜେନ୍ସି ପକ୍ଷରୁ ପହଲଗାଓଁ ଆକ୍ରମଣରେ ସଂପୃକ୍ତ ଥିବା ୩ ଜଣ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି କରାଯାଇଛି। ଆସିଫ୍‌ ​‌ଫୌଜି, ସୁଲେମାନ ଶାହା ଏବଂ ଅବୁ ତଲାହ୍‌ ନାମକ ଏହି ଆତଙ୍କବାଦୀମାନେ ପାକିସ୍ତାନୀ ବାସିନ୍ଦା ବୋଲି କୁହାଯାଇଛି। କାଶ୍ମୀର ଉପତ୍ୟକାରେ ଏମାନେ ଯଥାକ୍ରମେ ମୁଶା, ୟୁନୁସ ଏବଂ ଆସିଫ୍‌ ଭଳି ଛଦ୍ମନାମ ବ୍ୟବହାର କରୁଛନ୍ତି। ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲାରେ ଘଟିଥିବା ଆତଙ୍କବାଦୀ ଘଟଣାରେ ଏମାନେ ସଂପୃକ୍ତ ଥିବା କୁହାଯାଇଛି। ଏହା ବ୍ୟତୀତ ଏହି ତିନିଜଣ ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ଦେଲେ ସରକାରଙ୍କ ପକ୍ଷରୁ ପ୍ରତ୍ୟେକଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି। ଆକ୍ରମଣ ପରେ ଆତଙ୍କବାଦୀମାନେ ପୀର ପାଞ୍ଜାଲ ପାର୍ବତ୍ୟାଞ୍ଚଳକୁ ଖସି ପଳାଇଥିବା ଅନୁମାନ କରାଯାଉଛି। ସେମାନଙ୍କୁ ଠାବ କରିବାକୁ ସେନା, ଅର୍ଦ୍ଧସାମରିକ ବାହିନୀ ଏବଂ ଜାମ୍ମୁ-କାଶ୍ମୀର ପୁଲିସର ମିଳିତ ବାହିନୀ ଉକ୍ତ ଅଞ୍ଚଳକୁ ଘେରାଉ କରି ତଲାସି ଅଭିଯାନ ଜାରି ରଖିଛନ୍ତି।

Share