S 400 jpg 750x430

ନୂଆଦିଲ୍ଲୀ : ପାକିସ୍ତାନ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’ରେ ଏସ୍‌-୪୦୦ର ସଫଳ ପ୍ରଦର୍ଶନ ପରେ ଭାରତ ଆକାଶ ପ୍ରତିରକ୍ଷାକୁ ସୁଦୃଢ଼ ​​କରିବା ପାଇଁ ଋଷଠାରୁ ଅଧିକ ଏସ୍‌-୪୦୦ କିଣିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି। ପାକିସ୍ତାନୀ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌କୁ ଅଟକାଇବାରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏସ୍‌-୪୦୦ ଘାତକ ପ୍ରମାଣିତ ହୋଇଛି। ତେଣୁ ଅଧିକ ଏସ୍‌-୪୦୦ କିଣିବା ପାଇଁ ଭାରତ ସରକାର ଇଚ୍ଛା ପ୍ରକାଶ କରିଛନ୍ତି।

ଭାରତୀୟ ସେନାରେ ପୂର୍ବରୁ କାର୍ଯ୍ୟକ୍ଷମ ଥିବା ଋଷ ନିର୍ମିତ ଏସ୍‌-୪୦୦ ସିଷ୍ଟମ୍, ସାମ୍ପ୍ରତିକ ସଂଘର୍ଷ ସମୟରେ ପାକିସ୍ତାନ ଦ୍ୱାରା ଛଡ଼ା ଯାଇଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌କୁ ନିଷ୍କ୍ରିୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଆକାଶ ମାର୍ଗରେ ପଶ୍ଚିମ ସୀମା ପାରରୁ ବିପଦର ମୁକାବିଲା କରିବାରେ ଏହି ପ୍ରଣାଳୀ ପ୍ରଭାବଶାଳୀତା ପ୍ରଦର୍ଶନ କରିଛି। ତେଣୁ ଦେଶର ଆକାଶ ପ୍ରତିରକ୍ଷା କ୍ଷମତାକୁ ବଢ଼ାଇବା ପାଇଁ ଅଧିକ ଏସ୍‌-୪୦୦ କିଣିବା ପାଇଁ ଭାରତ ସରକାର ରୁଷ୍‌କୁ ଅନୁରୋଧ କରିଛନ୍ତି। ରୁଷ ମଧ୍ୟ ଏହି ଅନୁରୋଧକୁ ମଞ୍ଜୁର କରିବାର ସମ୍ଭାବନା ରହିଛି।

ରୁଷ ନିର୍ମିତ ଏସ୍‌-୪୦୦କୁ ଭାରତରେ ‘ସୁଦର୍ଶନ ଚକ୍ର’ କୁହାଯାଏ। ବିଶ୍ୱର ସବୁଠାରୁ ଉନ୍ନତ, ୬୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟକୁ ଟ୍ରାକ କରିବାରେ ଏବଂ ୪୦୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜରେ ସେଗୁଡ଼ିକୁ ଅଟକାଇବାରେ ଏହା ସକ୍ଷମ। ଭାରତ ୨୦୧୮ରେ ପାଞ୍ଚଟି ଏସ୍‌-୪୦୦ ଆକାଶ ପ୍ରତିରକ୍ଷା ପ୍ରଣାଳୀ ପାଇଁ ରୁଷ ସହିତ ୫.୪୩ ବିଲିୟନ ଡଲାରର ଚୁକ୍ତି ସ୍ୱାକ୍ଷର କରିଥିଲା। ପାକିସ୍ତାନ ଏବଂ ଚୀନରୁ ଆକାଶ ମାର୍ଗ ବିପଦର ମୁକାବିଲା କରିବା ପାଇଁ ୨୦୨୧ରେ ଏସ୍‌-୪୦୦କୁ ପଞ୍ଜାବରେ ପ୍ରଥମେ ମୁତୟନ କରାଯାଇଥିଲା। ଏହା ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ର ଓ ଡ୍ରୋନ୍‌କୁ ନିଷ୍କ୍ରିୟ କରିବା ସହ ସ୍ବୟହ ଚାରି ପ୍ରକାରର କ୍ଷେପଣାସ୍ତ୍ର ନିକ୍ଷେପ କରିବାରେ ସକ୍ଷମ। ଏସ୍‌-୪୦୦ ବିମାନ, ଡ୍ରୋନ୍, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ବାଲିଷ୍ଟିକ୍ ପ୍ରୋଜେକ୍ଟାଇଲ୍‌କୁ ଅଟକାଇ ପାରିବ। ଏହାର ଉନ୍ନତ ରେଡାର ଏକାସଙ୍ଗେ ଶହେରୁ ଅଧିକ ଲକ୍ଷ୍ୟକୁ ଟ୍ରାକ୍ କରିପାରେ। ତେବେ ପାକିସ୍ତାନ ଡ୍ରୋନ୍‌ ଆକ୍ରମଣ କରି ଭାରତର ଏସ୍‌-୪୦୦କୁ ନଷ୍ଟ କରିଥିବା ଦାବି କରିଥିଲା। ତେଣୁ ପାକିସ୍ତାନର ଏହି ମିଛ ଦାବିକୁ ଖଣ୍ଡନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭାରତୀୟ ବାୟୁସେନାର ଆଦମପୁର ଘାଟି ପରିଦର୍ଶନ କରିଥିଲେ। ପ୍ରତିରକ୍ଷା ବାହିନୀ ମଧ୍ୟ ପାକିସ୍ତାନର ମିଥ୍ୟା କାହାଣୀକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଦୃଢ଼ ଭାବରେ କହିଥିଲେ ଯେ ସମସ୍ତ ଭାରତୀୟ ପ୍ରତିରକ୍ଷା ଭିତ୍ତିଭୂମି ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ରହିଛି ଏବଂ ଯେକୌଣସି ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି।

Share