ଗାନ୍ଧୀନଗର: ମନରେ କୋହ, ଆଖିରେ ଲୁହ.. ଭାଇର ଶବକୁ କାନ୍ଧ ଦେଲା ବେଳେ ଆଖିରେ ଲୁହ ବୋଲ ମାନୁନି, ବନ୍ଧବାଡ ଭାଙ୍ଗି ବହି ଯାଉଛି । ନିଜକୁ ସମ୍ଭାଳି ହେଉନି, ଲୁହ କୋହକୁ ଅଟକାଇ ହେଉନି । ସାଙ୍ଗରେ ଦୁଇ ଭାଇ ଲଣ୍ଡନ ଯାଉଥିଲେ ହେଲେ ବିଧାତାର ଖେଳ, ଜଣେ ବଞ୍ଚିଲା, ଜଣେ ଚାଲିଗଲା ।
ଗୋଟିଏ ବିମାନରେ ଦୁହେଁ ଯାଉଥିଲେ ବି ଭାଗ୍ୟ କିନ୍ତୁ କାହା ପାଇଁ କଣ ଲେଖିଥିଲା କେହି ବି ଜାଣି ନଥିଲେ । ଆଜି ମୃତ୍ୟୁର ଆଁ ଭିତରୁ ବାହାରି ବିଶ୍ବାସ କୁମାର ଜୀବନ ଫେରି ପାଇଥିବା ବେଳେ ତାଙ୍କ ଭାଇ ଅଜୟ କିନ୍ତୁ ଆରପାରିରେ । ଆଉ ଆଜି ଯେତେବେଳେ ସେହି ସହଯାତ୍ରୀ ଭାଇର ଶେଷଯାତ୍ରାରେ ସାମିଲ ହେଉଛନ୍ତି ସେତେବେଳେ ଭାଙ୍ଗି ପଡୁଛନ୍ତି ବିଶ୍ବାସ ରମେଶ କୁମାର ।
ମୁଣ୍ଡରେ ବ୍ୟାଣ୍ଡେଜ୍, ଗାଲରେ ବ୍ୟାଣ୍ଡେଜ୍, କାନରେ ବି ବ୍ୟାଣ୍ଡେଜ୍ । ଗଭୀର ଆଘାତ ଲାଗିଥିବାରୁ ଅହମଦାବାଦ ବିମାନ ଦୁର୍ଘଟଣାରେ ବର୍ତ୍ତିଯାଇଥିବା ଏକମାତ୍ର ଯାତ୍ରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ଭାଇର ଶେଷକୃତ୍ୟ ଯେତେବେଳେ କରାଯାଉଛି ସେତେବେଳେ ନିଜକୁ କେମିତି ରୋକି ପାରିଥାନ୍ତେ । ତେଣୁ ସିଧା ହସ୍ପିଟାଲରୁ ଆସି ମୃତ ଭାଇ ଅଜୟ ରମେଶ କୁମାରଙ୍କ ଶେଷକୃତ୍ୟରେ ସାମିଲ ହୋଇ ଭାଇର ଶବରେ କାନ୍ଧ ଦେଇଛନ୍ତି ଆଉ ତାଙ୍କୁ ଶ୍ମଶାନ ନେଇଛନ୍ତି ।
ଭାଇର ଶବ କାନ୍ଧେଇ ମଶାଣି ନେଲାବେଳେ କାନ୍ଦି କାନ୍ଦି ବିଶ୍ବାସ କୁମାର ଯାଉଥିବା ଦେଖିବାକୁ ମିଳିଛି । ଆଉ ତାଙ୍କୁ ଆତ୍ମୀୟ ସ୍ବଜନ ଏବଂ ସମ୍ପର୍କୀୟ ବୁଝାଉଥିବା ଦେଖିବାକୁ ମିଳିଛି । ଦୁହେଁ ଡିୟୁ ବାସିନ୍ଦା ହୋଇଥିବା ବେଳେ ସେଠାରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।