ତେହେରାନ: ଦିନକୁ ଦିନ ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଘମାଘୋଟ ରୂପ ନେଉଛି । ଏହି ଯୁଦ୍ଧରେ ଆମେରିକା ଯୋଗ ଦେବାର ଆଶଙ୍କା ମଧ୍ୟରେ ଚୀନ ଓ ରୁଷ ଇରାନକୁ ଗୋପନରେ ସହାୟତା କରୁଛନ୍ତି । ଚୀନ ପକ୍ଷରୁ ତେହେରାନକୁ ଗୋପନରେ ଅସ୍ତ୍ରଶସ୍ତ୍ର ଦିଆଯାଉଥିବା ସଂଦେହ କରାଯାଉଛି । ଏଥିପାଇଁ ଚୀନର ୩ଟି କାର୍ଗୋ ବିମାନ ଗୋପନରେ ତେହେରାନରେ ଓହ୍ଲାଇଛି ।
ଯଦିଓ ଏହି ବିମାନଗୁଡ଼ିକର ରୁଟ୍ ସାଂଘାଇ ଇତ୍ୟାଦିରୁ ଲକ୍ସେମବର୍ଗକୁ ଥିଲା, କିନ୍ତୁ ମଝି ଆକାଶରେ ଏହି ବିମାନଗୁଡ଼ିକ ସେମାନଙ୍କର ଟ୍ରାନ୍ସପଣ୍ଡର ଏବଂ ସେନ୍ସରଗୁଡ଼ିକୁ ବନ୍ଦ କରି ଇରାନ ଆକାଶ ସୀମାରେ ପହଞ୍ଚିଥିଲେ, ଯଦ୍ବାରାକି ଏହାକୁ ଅନ୍ୟମାନେ ଠାବ କରିପାରିବେ ନାହିଁ । ଏହି ବିମାନଗୁଡ଼ିକରେ କଣ ଥିଲା ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଏପରି ପରିସ୍ଥିତିରେ, ଚୀନ୍ ଇରାନକୁ ଅସ୍ତ୍ରଶସ୍ତ୍ର କିମ୍ବା ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯୋଗାଇଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।
ଇସ୍ରାଏଲ-ଇରାନ ଯୁଦ୍ଧରେ ସାମିଲ ନହେବା ପାଇଁ ରୁଷ ରାଷ୍ଟ୍ରପତି ପୁଟିନ ଆମେରିକା ରାଷ୍ଟ୍ରପତିଙ୍କୁ ଚେତାବନୀ ଦେଇଛନ୍ତି। ପୁଟିନ କହିଛନ୍ତି ଯେ ଯଦି ଆମେରିକା ଯୁଦ୍ଧରେ ଲମ୍ଫ ଦିଏ, ତେବେ ରୁଷ (ଏବଂ ଚୀନ୍) ମଧ୍ୟ ଇରାନକୁ ସିଧାସଳଖ ସମର୍ଥନ କରିବେ।