ନୂଆଦିଲ୍ଲୀ: ଇରାନରୁ ଭାରତ ଫେରିବେ ହଜାରେ ଭାରତୀୟ ନାଗରିକ । ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉଗ୍ର ରୂପ ନେଉଥିବା ବେଳେ ଇରାନରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଇରାନରୁ ୧୦୦୦ ଭାରତୀୟ ଭାରତ ଅଭିମୁଖେ ଯାତ୍ରା କରିବେ । ଆଜି ରାତିରେ ଏହି ଭାରତୀୟମାନେ ଦିଲ୍ଲୀରେ ଆସି ପହଞ୍ଚିବେ । ଏଥିପାଇଁ ଇରାନ ସାମୟିକ ସମୟ ପାଇଁ ନିଜର ଏୟାର ବେସ୍ ଖୋଲା ରଖିଛି । ଇସ୍ରାଏଲ ଆକ୍ରମଣ ପରେ ନିଜ ଏୟାରବେସ୍ ବନ୍ଦ ରଖିଥିଲା ଇରାନ ।
ତେବେ ଇରାନ ଏବଂ ଇସ୍ରାଏଲରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବାକୁ ଭାରତ ଅପରେସନ ସିନ୍ଧୁ ଆରମ୍ଭ କରିଥିବା ବେଳେ ଏହାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଗତକାଲି ତେହେରାନରୁ ପ୍ରଥମ ପର୍ଯ୍ୟାୟରେ ୧୧୦ ଭାରତୀୟଙ୍କୁ ଉଦ୍ଧାର କରି ଏକ ବିମାନ ନୂଆଦିଲ୍ଲୀକୁ ଅଣାଯାଇଥିଲା । ଆଉ ଭାରତ ମାଟିରେ ପାଦ ଦେବା ପରେ ଭାରତ ସରକାରଙ୍କୁ ଧନ୍ୟବାଦ ଦେବା ସହ ଭାରତୀୟ ବୋଲି ନିଜକୁ ଗର୍ବ କରି ଇରାନର ଯୁଦ୍ଧ ପରିସ୍ଥିତି ବାବଦରେ ବଖାଣିଥିଲେ ଇରାନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀ ।
ଭାରତ ଫେରିଥିବା ଜଣେ ଏମବିବିଏସ ଛାତ୍ରୀ କହିଛନ୍ତି- ଆମେ ଆମ ଦେଶକୁ ଫେରି ଆସି ବହୁତ ଖୁସି । ସେଠାରେ ପରିସ୍ଥିତି ବହୁତ ଖରାପ । ଇରାନ ଉପରେ କେମିତି କ୍ଷେପଣାସ୍ତ୍ର ମାଡ ହେଉଥିଲା ଏବଂ କେମିତି ତାକୁ ପ୍ରତିରୋଧ କରାଯାଉଥିଲା ସେସବୁ ଆମେ ନିଜ ଆଖିରେ ଦେଖିଛୁ । ଆମକୁ ସେଠାରୁ ମୁକୁଳାଇ ଆଣିଥିବାରୁ ଆମେ ସରକାରଙ୍କ ନିକଟରେ କୃତଜ୍ଞ..