ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ ମିଳୁ ନୋବେଲ ଶାନ୍ତି ପୁରସ୍କାର । ୨୦୨୬ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶାନ୍ତି ପୁରସ୍କାର ଦିଆଯାଉ । ବିଭିନ୍ନ ଦେଶର ଯୁଦ୍ଧ ପରିସ୍ଥିତି ମଧ୍ୟରେ ଟ୍ରମ୍ପ ଶାନ୍ତି ଫେରାଇ ଆଣୁଥିବାରୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯାଉ । ଏଭଳି ଏକ ଦାବି କରିଛି ପାକିସ୍ତାନ । ଭାରତ-ପାକିସ୍ତାନ ଯୁଦ୍ଧରେ ମଧ୍ୟସ୍ଥତା କରି ଟ୍ରମ୍ପ ଯୁଦ୍ଧ ବନ୍ଦ କରିଥିବା ବାରମ୍ବାର ଦାବି କରି ଆସୁଥିବା ବେଳେ ଏବେ ପାକିସ୍ତାନ ଟ୍ରମ୍ପକୁ ଏଭଳି କହି ପ୍ରଶଂସା କରିବା ଟ୍ରମ୍ପଙ୍କ ମୁହଁରେ ହସ ଭରିଛି । ଯଦିଓ ପାକିସ୍ତାନ ପ୍ରତି ଟ୍ରମ୍ପଙ୍କର ଅହେତୁକ ଭଲପାଇବା ଥିବା ସେ ସ୍ବୀକାର କରିଛନ୍ତି । ଆଉ ଏପରି ସ୍ଥିତିରେ ନୋବେଲ ପୁରସ୍କାରର କଥା କହିବା ପରେ ପାକିସ୍ତାନର ବୟାନ ଚର୍ଚ୍ଚା ବଢାଇଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁବେଳେ ଗୋଟିଏ କଥା ଦାବି କରିଆସିଛନ୍ତି । ତାହା ହେଉଛି ସେ ବିଶ୍ୱର ଅନେକ ଦେଶରେ ଯୁଦ୍ଧ ବନ୍ଦ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଅର୍ଥାତ୍ ଯୁଦ୍ଧ ବନ୍ଦ କରି ଶାନ୍ତି ଫେରାଇବା ଦିଗରେ ଟ୍ରମ୍ପଙ୍କ ବଡ ଭୂମିକା ରହିଛି ବୋଲି ସେ ଅନେକ ଥର ଦାବି କରିଆସିଛନ୍ତି । ଖାସକରି ଭାରତ-ପାକିସ୍ତାନ ଯୁଦ୍ଧରେ ମଧ୍ୟସ୍ଥତା କରି ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି ବୋଲି ଅନେକ ସମୟରେ ଦାବି କରିଆସିଛନ୍ତି ।
ଆଉ ଏହାରି ଭିତରେ, ପାକିସ୍ତାନ ସରକାର ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମକୁ ଆନୁଷ୍ଠାନିକ ଭାବରେ ପ୍ରସ୍ତାବ ଦେଇଛି । ପାକିସ୍ତାନ ଏକ ବିବୃତ୍ତିରେ କହିଛି ଯେ ୨୦୨୫ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମୟରେ ଟ୍ରମ୍ପଙ୍କ ନିର୍ଣ୍ଣାୟକ କୂଟନୈତିକ ହସ୍ତକ୍ଷେପ ଏବଂ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ଯୋଗୁଁ ତାଙ୍କ ନାମ ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରସ୍ତାବିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଭାରତ ସହିତ ଯୁଦ୍ଧବିରତି ଆଣିବାରେ ଟ୍ରମ୍ପଙ୍କ ହସ୍ତକ୍ଷେପକୁ ପାକିସ୍ତାନ ପ୍ରଶଂସା କରିଛି । ପାକିସ୍ତାନ କହିଛି, ଟ୍ରମ୍ପଙ୍କ ପ୍ରୟାସ ଯୋଗୁଁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇପାରିଛି ଏବଂ ଏକ ବଡ଼ ବିପଦକୁ ଏଡାଯାଇପାରିଛି । ତେଣୁ ସେ ଏହି ପୁରସ୍କାରର ପ୍ରକୃତ ହକଦାର୍ । ପାକିସ୍ତାନର ପ୍ରସ୍ତାବ ପରେ ଟ୍ରମ୍ପ କିନ୍ତୁ ଏହି ପୁରସ୍କାର ଚାହାନ୍ତି ନାହିଁ ବୋଲି ଜଣାପଡିଛି । ଏକ ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ କହିଛନ୍ତି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ମୁଁ ନୋବେଲ ପୁରସ୍କାର ଆଶା କରିନାହିଁ । ସର୍ବିଆ ଏବଂ କୋସୋଭୋ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ବି ମୁଁ ନୋବେଲ ପୁରସ୍କାର ଆଶା କରିନାହିଁ । ସେହିପରି ମିଶର ଏବଂ ଇଥିଓପିଆ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଁ ନୋବେଲ ପୁରସ୍କାର ଆଶା କରିନାହିଁ ।
