Jr

ଯାଜପୁର ରୋଡ: ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ । ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇଦେଲେ ପ୍ରଧାନ ଶିକ୍ଷକ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ସାରୁଆବିଲ ସ୍କୁଲରୁ ଆସିଛି ସାଂଘାତିକ ଅଭିଯୋଗ। ପୂର୍ବରୁ ପ୍ରଧାନ ଶିକ୍ଷକଙ୍କ ନାଁରେ ବିଭିନ୍ନ ଅଭିଯୋଗ ହୋଇଥିଲା । ଏନେଇ ଗତ ମାସ ଧରି ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଗତକାଲି ସବୁ ସୀମା ପାର୍ କରି ଯାଇଥିଲେ ପ୍ରଧାନ ଶିକ୍ଷକ। ଦଣ୍ଡ ଦେବା ନାଁରେ ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ଡାଳ ପୁରାଇ ଦେଇଥିଲେ । ଏଥିରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଏନେଇ ସ୍କୁଲରେ ଫାଟକ ଆଗରେ ଧାରଣା ଦେଇଥିଲେ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି । ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି ।

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ କାଳିଆପାଣି କ୍ଲଷ୍ଟର ସାରୁଆବିଲ ଉପ୍ରା ସ୍କୁଲରେ ପ୍ରଧାନଶିକ୍ଷକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଛାତ୍ରଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ, ମଦ୍ୟପ ଅବସ୍ଥାରେ ସ୍କୁଲକୁ ଆସିବା ଏବଂ ଶାରୀରିକ ନିର୍ଯାତନା ଦେବା ପର୍ଯ୍ୟନ୍ତ ଅଭିଯୋଗ ହୋଇଛି ।  ଅଭିଯୋଗ ଅନୁସାରେ, ପ୍ରଧାନଶିକ୍ଷକ ବାସୁଦେବ ଦେହୁରୀ ମଦ୍ୟପ ଅବସ୍ଥାରେ ସ୍କୁଲକୁ ଆସି ପାଠ ପଢ଼ାଇ ନଥାନ୍ତି । ସେ ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିବା ସହ ଯୌନ ଉତ୍ପୀଡ଼ନ ସମ୍ପର୍କୀୟ କଥା କହୁଥିବା ଅଭିଯୋଗ ହୋଇଛି । ଏଥିପାଇଁ ଗତ ୪ ମାସ ଧରି ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ମଧ୍ୟରେ ଅସନ୍ତୋଷ ଜମାହୋଇଥିଲା ।

ଗତକାଲି ଘଟଣା ତୀବ୍ର ରୂପ ନେଇଥିଲା, ଯେତେବେଳେ କିଛି ପିଲାଙ୍କୁ ଦଣ୍ଡ ଦେବା ନାମରେ ପ୍ରଧାନଶିକ୍ଷକ ବିଛୁଆତି ଡାଳ ତାଙ୍କ ପ୍ୟାଣ୍ଟ୍‌ରେ ପକାଇ ଦେଇଥିଲେ ।  ଏହାରେ ୧୦ ରୁ ଅଧିକ ଛାତ୍ର ଗୁରୁତର ଯନ୍ତ୍ରଣା ଭୋଗିଥିବା ଜଣାପଡ଼ିଛି । ଘଟଣା ପରେ ଅଭିଭାବକମାନେ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ସ୍କୁଲ ଫାଟକ ଆଗରେ ଧରଣାରେ ବସି ବିଭାଗୀୟ ତଦନ୍ତ ଦାବି କରିଥିଲେ ।  ଅଭିଯୋଗ ଥିଲା ଯେ, ସିଆରସିସିଙ୍କୁ ସୂଚନା ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇଯାଇନଥିଲା । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଥାନା ଅଧିକାରୀଙ୍କ ଉପସ୍ଥିତିରେ ପ୍ରଧାନଶିକ୍ଷକଙ୍କୁ ଡାକି ଆପୋସ ସମାଧାନ ଚେଷ୍ଟା ହୋଇଥିଲା ।

ପ୍ରଧାନଶିକ୍ଷକ ବାସୁଦେବ ଦେହୁରୀ ନିଜ ଭୁଲ ସ୍ୱୀକାର କରି କ୍ଷମା ଚାହିଁଥିବା ସହ ଆଗକୁ ଏମିତି କାମ ନକରିବାକୁ ଲିଖିତ ଆଶ୍ୱାସନ ଦେଇଛନ୍ତି । ପ୍ରଭାବିତ ଛାତ୍ରମାନେ ଦୀର୍ଘ ସମୟ ଯନ୍ତ୍ରଣା ଭୋଗିଥିବା ଜଣାପଡ଼ିଛି । ଘଟଣା ପରେ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି ଏବଂ ଶିକ୍ଷା ବିଭାଗ ତଦନ୍ତ କରିବାକୁ ଦାବି ବଢ଼ୁଛି । ଏହି ଘଟଣା ଶିକ୍ଷା ପ୍ରଣାଳୀରେ ଶିକ୍ଷକଙ୍କ ଦାୟିତ୍ୱ ଓ ଶିଷ୍ଟାଚାର ଉପରେ ପ୍ରଶ୍ନ ଉଠାଇଛି । ଆଗକୁ ବିଭାଗ କଣ ପଦକ୍ଷେପ ନେଉଛି, ସେଥିରେ ସବୁଙ୍କ ନଜର ରହିଛି ।

Share