President 1 1

ରାଉରକେଲା: ଆସନ୍ତାକାଲି ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ସଜେଇ ହୋଇଛି ରାଉରକେଲା ସହର । ରାଉରକେଲା ସହର ସମେତ ସମ୍ପୂର୍ଣ୍ଣ ଜିଲ୍ଲାର ପ୍ରାୟ ତିନି ହଜାର ଛାତ୍ରଛାତ୍ରୀ ରାଷ୍ଟ୍ରପତିଙ୍କ ସମ୍ମୁଖରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିବେ । ପିଲାମାନେ ଜୋରଦାର ଅଭ୍ୟାସ କରୁଛନ୍ତି । ଏହାକୁ ନେଇ ସମ୍ପୂର୍ଣ ଭାବରେ ଉତ୍ସାହିତ ଅଛନ୍ତି ସମସ୍ତ ଛାତ୍ରୀ । ଓଡିଶୀ, ସମ୍ବଲପୁରୀ ସହ ବିଭିନ୍ନ ଆଦିବାସୀ ସାଂସ୍କୃତିକ ନାଚରେ ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତି ଚାଲିଛି ।

ସେପଟେ ସୁରକ୍ଷା ବଳୟରେ ୪୫ ପ୍ଲାଟୁନ ପୋଲିସ ଫୋର୍ସ ରହିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆସନ୍ତାକାଲି ରାଉରକେଲା ଗସ୍ତକୁ ନେଇ ଏବେ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆଜି ରାଉରକେଲା ପୋଲିସ ପକ୍ଷରୁ ଏକ ଭବ୍ୟ କାରକେଡ୍ ରିହର୍ସାଲ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ଏବଂ ଯାତାୟାତ ଯେପରି ସୁରୁଖୁରୁରେ ହେବ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଆଜି ଅନୁଷ୍ଠିତ ଏହି ରିହର୍ସାଲ୍ ରାଉରକେଲା ଏୟାରପୋର୍ଟରୁ ବାହାରି ସେକ୍ଟର-୧୩ ଛକ, ଡି.ଏ.ଭି ଛକ ଏବଂ ହନୁମାନ ବାଟିକା ଛକ ଦେଇ ICCC ଏବଂ ଟ୍ରାଇବାଲ ମ୍ୟୁଜିଅମ ସହ ସର୍କିଟ ହାଉସକୁ ଗତି କରିଥିଲା। ଏହି ସମଗ୍ର ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ପ୍ରାୟ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାଷ୍ଟ୍ରପତିଙ୍କ କାରକେଡ୍ ଯିବା ସମୟରେ ଟ୍ରାଫିକ ନିୟନ୍ତ୍ରଣ ଏବଂ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ଦିଗକୁ ଗୁରୁତ୍ବ ଦିଆଯାଇଛି । ବରିଷ୍ଠ ପୋଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅଭ୍ୟାସ କରାଯାଇଥିବା ବେଳେ, ସହରବାସୀ ମଧ୍ୟ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Share