350a555a7441fc97d9799b2a3847229b

୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ICCର ବଡ଼ ଘୋଷଣା । ଆସୁଛି ନୂଆ ‘ସୁପର ସିରିଜ୍’ ଓ ‘ସୁପର ସେଭେନ୍’ ଫର୍ମାଟ୍। କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର! ଆସନ୍ତା ୨୦୨୭ ଦିନିକିଆ ବିଶ୍ବକପକୁ ଅଧିକ ରୋମାଞ୍ଚକର, ସଂଘର୍ଷପୂର୍ଣ୍ଣ ଏବଂ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କରିବା ପାଇଁ ICC ଏକ ବଡ଼ ନିଷ୍ପତ୍ତି ନେଇଛି। ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବ୍ୟା ଦ୍ୱାରା ମିଳିତ ଭାବେ ଆୟୋଜନ ହେବାକୁ ଥିବା ଏହି ୧୪-ଟିମ୍ ବିଶିଷ୍ଟ ମେଗା ଟୁର୍ଣ୍ଣାମେଣ୍ଟରେ ଏଥର ସମ୍ପୂର୍ଣ୍ଣ ନୂଆ ଫର୍ମାଟ୍ ଦେଖିବାକୁ ମିଳିବ। ୨୦୨୭ ଅକ୍ଟୋବର ୪ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ବିଶ୍ୱକପରେ ପୂର୍ବର ‘ସୁପର ସିକ୍ସ’ ବଦଳରେ ତିନୋଟି ଭିନ୍ନ ଓ ନୂଆ ପର୍ଯ୍ୟାୟ ରହିବ।

ତେବେ କେମିତି ରହିବ ଗେମ ପ୍ଲାନ୍ ? ବିଶ୍ୱକପ୍ ର ମୁଖ୍ୟ ମୁକାବିଲା ଆରମ୍ଭ ହେବା ପୂର୍ବରୁ ହିଁ ଦେଖିବାକୁ ମିଳିବ କଡ଼ା ସଂଘର୍ଷ। ରାଙ୍କିଙ୍ଗର ସବୁଠାରୁ ତଳେ ଥିବା ୩ଟି ଦଳ ସିଧାସଳଖ ଗ୍ରୁପ୍ ପର୍ଯ୍ୟାୟ ଖେଳିପାରିବେ ନାହିଁ। ଏହି ୩ଟି ଦଳ ମଧ୍ୟରେ ଏକ ରାଉଣ୍ଡ-ରବିନ୍ ‘ସୁପର ସିରିଜ୍’ ଖେଳାଯିବ। ଏହି ସିରିଜ୍ ର ବିଜେତା ଦଳ ୧୨ତମ ଦଳ ଭାବେ ଗ୍ରୁପ୍ ପର୍ଯ୍ୟାୟକୁ ଯିବ ଏବଂ ବାକି ଦୁଇଟି ଦଳ ଟୁର୍ଣ୍ଣାମେଣ୍ଟରୁ ସୁରୁଖୁରୁରେ ବିଦାୟ ନେବେ। ଏହାଦ୍ୱାରା ଶୀର୍ଷ ୧୧ଟି ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ ଏବଂ ବାକି ଦଳଗୁଡ଼ିକୁ ନିଜ ଯୋଗ୍ୟତା ପ୍ରମାଣିତ କରିବାକୁ ପଡ଼ିବ।

୬ଟି ଲେଖାଏଁ ଦଳର ଦୁଇଟି ପୁଲ୍ ସୁପର ସିରିଜ୍ ଶେଷ ହେବା ପରେ ମୁଖ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ, ଯେଉଁଥିରେ ୧୨ଟି ଦଳ ରହିବେ। ଏହି ୧୨ଟି ଦଳକୁ ୨ଟି ଗ୍ରୁପରେ ବିଭକ୍ତ କରାଯିବ ଏବଂ ସେମାନଙ୍କ ମଧ୍ୟରେ ମୋଟ ୩୦ଟି ମ୍ୟାଚ୍ ଖେଳାଯିବ। ପ୍ରତ୍ୟେକ ଗ୍ରୁପରୁ ଶୀର୍ଷ ୩ଟି ଲେଖାଏଁ ଅର୍ଥାତ ମୋଟ ୬ଟି ଦଳ ସିଧାସଳଖ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବେ।ଉଭୟ ଗ୍ରୁପ୍ ର ଚତୁର୍ଥ ସ୍ଥାନରେ ଥିବା ଦଳଗୁଡ଼ିକ ମଧ୍ୟରୁ ଯାହାର ପଏଣ୍ଟ ଏବଂ ନେଟ୍ ରନ୍-ରେଟ୍ ଭଲ ଥିବ, ସେ ୭ମ ଦଳ ଭାବେ ଆଗକୁ ବଢ଼ିବ। ତେଣୁ ପ୍ରତିଟି ରନ୍ ଏବଂ ୱିକେଟ୍ ଏଠାରେ ମୂଲ୍ୟବାନ ହେବ।

ଏହି ନୂଆ ପର୍ଯ୍ୟାୟ ବିଶ୍ୱକପକୁ ଏକ ନୂଆ ମୋଡ଼ ଦେବ। ଯୋଗ୍ୟତା ଅର୍ଜନ କରିଥିବା ୭ଟି ଦଳ ମଧ୍ୟରେ ଏକ ପୂର୍ଣ୍ଣ ରାଉଣ୍ଡ-ରବିନ୍ ସୁପର ସେଭେନ୍ ଲଢ଼େଇ ହେବ, ଯେଉଁଥିରେ ମୋଟ ୨୧ଟି ମ୍ୟାଚ୍ ଖେଳାଯିବ। ଏଠାରେ ପୂର୍ବ ପର୍ଯ୍ୟାୟର କୌଣସି ପଏଣ୍ଟ କାମରେ ଆସିବ ନାହିଁ; ସମସ୍ତଙ୍କୁ ନୂଆ ଭାବେ ଶୂନରୁ ଆରମ୍ଭ କରିବାକୁ ପଡ଼ିବ। ଏହି ପର୍ଯ୍ୟାୟର ଶୀର୍ଷ ୪ଟି ଦଳ ସେମିଫାଇନାଲ୍ ପାଇଁ ଟିକେଟ୍ ପାଇବେ। ଟୁର୍ଣ୍ଣାମେଣ୍ଟରେ ଯେପରି କୌଣସି ମ୍ୟାଚ୍ ଗୁରୁତ୍ୱହୀନ ନ ରହେ ଏବଂ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କ ଉତ୍କଣ୍ଠା ବଜାୟ ରହେ, ସେଥିପାଇଁ ଏହି ନୂଆ ଫର୍ମାଟ୍ ପ୍ରସ୍ତୁତ କରାଯାଇଛି।

ଟି-୨୦ ବିଶ୍ୱକପରେ କୌଣସି ପରିବର୍ତ୍ତନ ନାହିଁ। ଦିନିକିଆ ଫର୍ମାଟରେ ଏତେ ବଡ଼ ପରିବର୍ତ୍ତନ ହୋଇଥିବା ବେଳେ ଟି-୨୦ ବିଶ୍ୱକପ୍ ର ଫର୍ମାଟ୍ ପୂର୍ବଭଳି ଅପରିବର୍ତ୍ତିତ ରହିବ। ୨୦୨୭ ବିଶ୍ୱକପର ସମ୍ପୂର୍ଣ୍ଣ ମ୍ୟାଚ୍ ସୂଚୀ ଯୋଗ୍ୟତା ପର୍ଯ୍ୟାୟ ଶେଷ ହେବା ପରେ ପ୍ରକାଶ ପାଇବ। ମୋଟ ୫୪ଟି ମ୍ୟାଚ୍ ମଧ୍ୟରୁ ଅଧିକାଂଶ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ବେଳେ ଜିମ୍ବାୱେ ଓ ନାମିବ୍ୟା ଅବଶିଷ୍ଟ ମ୍ୟାଚ୍ ଗୁଡ଼ିକର ଆୟୋଜନ କରିବେ।

Share