ପୁରୀ : ୨ ଘଣ୍ଟା ୨୭ ମିନିଟ୍ ରେ ଶେଷ ହେଲା ମହାପ୍ରଭୁଙ୍କ ୯ ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣତି ଓ ମେଳକ କାର୍ଯ୍ୟ । ଏବେ ବି ଶ୍ରୀଅଙ୍ଗରେ ଲାଗି ହୋଇଥିବାରୁ ଝୋବା କଣ୍ଠୀର ହୋଇ ପାରିଲାନି ଗଣତି ଓ ମେଳକ। ନୀଳାଦ୍ରି ବିଜେ ପୂର୍ବରୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଲାଗି ୯ ଟି ଅଳଙ୍କାରର ହୋଇଛି ଗଣତି ଓ ମେଳକ । ଶ୍ରୀଜିଉଙ୍କ ଅଣ୍ଟା ପଟି ବା ରୂପାରସିକ ଶୁଆ ଥଣ୍ଟିଆ ତିନିଟି,ରାହୁ ରେଖା ୩ଟି,ଓ ରତ୍ନ ଚିତା ତିନିଟିର ଗଣତି ଓ ମେଳକ ହୋଇଛି।
ସମସ୍ତ ଅଳଙ୍କାରର ଓଜନ ମାପ ପରେ, 3D ମ୍ୟାପିଙ୍ଗ,ଭିଡିଓଗ୍ରାଫି ସହ ରତ୍ନ ବିଶାରଦ ମାନଙ୍କ ଦ୍ୱାରା ମୂଲ୍ୟବାନ ରତ୍ନ ଗୁଡିକର ଚିହ୍ନଟ କରାଯାଇଥିଲା । ଖଟ ଶେଯ ଘରେ ଏହି ମୂଲ୍ୟବାନ ଅଳଙ୍କାର ସବୁ ର ଗଣତି ଓ ମେଳକ କାର୍ଯ୍ୟ ହୋଇଥିଲା । ଏ ସମସ୍ତ ଅଳଙ୍କାର ଚଳନ୍ତି ଭଣ୍ଡାର ର ଅଂଶ ବିଶେଷ ହୋଇଥିଲେ ହେଁ ଶ୍ରୀଅଙ୍ଗରେ ଲାଗି ହୋଇଥିବାରୁ ଏହାର ଗଣତି କରାଯାଇ ପାରି ନଥିଲା।
ତେବେ ସ୍ନାନ ପୂର୍ଣ୍ଣିମା ପରେ ରାହୁ ରେଖା,ଚିତା,ଅଣ୍ଟା ପଟି ଓଲାଗି ହୋଇଥିବା ବେଳେ ନୀଳାଦ୍ରି ବିଜେ ପୂର୍ବରୁ ଏହି ଅଳଙ୍କାର ସବୁର ଗଣତି କାର୍ଯ୍ୟ ହୋଇଛି । ଶ୍ରୀଜିଉଙ୍କ ଝୋବାକଣ୍ଠୀ ଏବେ ବି ଶ୍ରୀଅଙ୍ଗରେ ଲାଗି ହୋଇଥିବାରୁ ଏହାର ଗଣତି ହୋଇ ପାରିନାହିଁ । ଆଜି ପୂର୍ବାହ୍ନ ୧୧ ଟା ୩୧ ରୁ ଗଣତି କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ନ ୧ ଟା ୫୮ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଗଣତି ହୋଇଥିଲା। ପ୍ରାୟ ୨ ଘଣ୍ଟା ୨୭ ମିନିଟ୍ ଗଣତି ମଧ୍ୟରେ ୯ ଟି ଯାକ ଅଳଙ୍କାରର ଗଣତି,ଓଜନ,ଭିଡିଓ ଗ୍ରାଫି,3D ମ୍ୟାପିଙ୍ଗ କାର୍ଯ୍ୟ ଶେଷ ହୋଇଥିଲା । ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ଆରମ୍ଭ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୭୮ ଘଣ୍ଟା ୩ ମିନିଟ୍ ର ଗଣତି କାର୍ଯ୍ୟ ହୋଇଛି ।

