ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ ନବଜାତକ ମୃତ

Islamabad

ପାକିସ୍ତାନ: ଇସଲାମାବାଦର ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଗାୟନେକୋଲୋଜି ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଘଟଣାରେ ୧୫ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ସମୟରେ ୱାର୍ଡର ନର୍ସରୀରେ ୧୬ ଜଣ ନବଜାତ ଶିଶୁ ଥିଲେ, କିନ୍ତୁ ଅଗ୍ନିକାଣ୍ଡରୁ କେବଳ ଗୋଟିଏ ଶିଶୁକୁ ରକ୍ଷା କରାଯାଇଥିଲା ।

ସୂଚନାନୁଯାୟୀ, ସର୍ଟ ସର୍କିଟ୍ କାରଣ ଯୋଗୁଁ ସକାଳ ପ୍ରାୟ ୭ ଟା ସମୟରେ ହସ୍ପିଟାଲର ତୃତୀୟ ମହଲାର ଗାୟନେକୋଲୋଜି ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ହସ୍ପିଟାଲରେ ଆତଙ୍କ ସୃଷ୍ଟି କରିଥିଲା  । ଘଟଣା ସମ୍ପର୍କରେ ସୂଚନା ପାଇ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଛଅଟି ଅଗ୍ନିଶମ ବାହିନୀ ଗାଡ଼ି ନିୟୋଜିତ କରାଯାଇଥିଲା । ଚାରୋଟି ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ କରାଯାଇଥିଲା । ଅନେକ ସମୟର ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା ବୋଲି ଉଦ୍ଧାରକାରୀ ଟିମ୍ କହିଛନ୍ତି । ବର୍ତ୍ତମାନ ଅଗ୍ନିଶମ ବାହିନୀ ଦଳ କୁଲିଂ ଅପରେସନ୍ ଜାରି ରଖିଛନ୍ତି  । ଏଥିସହ ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଡେପୁଟି କମିଶନରଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ଗଠନ କରାଯାଇଛି । ଏହି କମିଟି ଅଗ୍ନିକାଣ୍ଡର କାରଣ ନିର୍ଣ୍ଣୟ କରିବ ଏବଂ ଏହା କିପରି ଘଟିଲା ତାହାର ତଦନ୍ତ କରିବ ବୋଲି ଜିଲ୍ଲା ପ୍ରଶାସନ କହିଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ କାର୍ଯ୍ୟାଳୟରୁ ଏକ ବିବୃତ୍ତିରେ ନବଜାତ ଶିଶୁ ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା କଥା ନିଶ୍ଚିତ କରାଯାଇଛି । ପ୍ରଧାନମନ୍ତ୍ରୀ ସରିଫ କହିଛନ୍ତି ଯେ, “ପିଲାମାନଙ୍କ ସହିତ ଜଡିତ ଯେକୌଣସି ଦୁଃଖଦ ଘଟଣା ଏକ ଅପୂରଣୀୟ କ୍ଷତି ।”

Share