ନୂଆଦିଲ୍ଲୀ: ସଂସଦ ଅଧିବେଶନ ପୁଣି ଡକାଯିବାର ସମ୍ଭାବନାକୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବୁଧବାର ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିନାହାନ୍ତି। ବର୍ଷାକାଳୀନ ଅଧିବେଶନ ଏପର୍ଯ୍ୟନ୍ତ ଔପଚାରିକ ଭାବେ ସମାପ୍ତ ଘୋଷିତ ହୋଇନଥିବାରୁ ପୁଣି ସଂସଦର ବୈଠକ ଡକାଯାଇପାରିବ ବୋଲି ସେ କହିଛନ୍ତି। ତେବେ ସ୍ୱତନ୍ତ୍ର ଅଧିବେଶନ ଡକାଯିବ କି ନାହିଁ, ସେ ସମ୍ପର୍କରେ ରିଜିଜୁ କୌଣସି ସିଧାସଳଖ ଉତ୍ତର ଦେଇନାହାନ୍ତି।
ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତ୍କାର ଦେଇ ରିଜିଜୁ କହିଥିଲେ, ସଂସଦ କେବେ ଡକାଯିବ, ତାହା ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ସରକାର ରାଷ୍ଟ୍ରପତିଙ୍କୁ ଅଧିବେଶନ ଡାକିବାକୁ ଅନୁରୋଧ କରନ୍ତି। ଗୃହର ଅଧିବେଶନ ଔପଚାରିକ ଭାବେ ସମାପ୍ତ ଘୋଷଣା ହୋଇନଥିଲେ ପୁଣି ବୈଠକ ଡକାଯାଇପାରିବ ବୋଲି ସେ ସ୍ପଷ୍ଟ କରିଥିଲେ। ସ୍ୱତନ୍ତ୍ର ଅଧିବେଶନ ଡକାଯିବାର ସମ୍ଭାବନା ରହିଛି କି ବୋଲି ପ୍ରଶ୍ନ କରାଯିବାରୁ ରିଜିଜୁ କହିଥିଲେ, ଏହାର ଉତ୍ତର ସେ ଦେବେ ନାହିଁ। ସମୟ ଆସିଲେ ଏ ସମ୍ପର୍କରେ ସବୁ କଥା ସ୍ପଷ୍ଟ ହେବ। ଗତ ୧୩ ଅଗଷ୍ଟରେ ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା।
ଏହି ପରିସ୍ଥିତିରେ ସରକାର ବର୍ତ୍ତମାନର ଅଧିବେଶନକୁ ବ୍ୟବହାର କରି ସୀମା ନିର୍ଦ୍ଧାରଣ ବିଲ୍ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍କୁ ପୁଣି ସଂସଦରେ ଆଣିବେ କି ନାହିଁ, ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏପ୍ରିଲରେ ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ସମୟରେ ୧୩୧ତମ ସମ୍ବିଧାନ ସଂଶୋଧନ ଅଧୀନରେ ମହିଳା ସଂରକ୍ଷଣ ବିଲ୍ ସହ ଆଗତ ସୀମା ନିର୍ଦ୍ଧାରଣ ବିଲ୍ ଲୋକସଭାରେ ଆବଶ୍ୟକ ଦୁଇ-ତୃତୀୟାଂଶ ସମର୍ଥନ ପାଇପାରିନଥିଲା। ତେବେ ଆଉ ଏକ ବୈଠକ କିମ୍ବା ସ୍ୱତନ୍ତ୍ର ଅଧିବେଶନ ଡକାଯିବା ନେଇ ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଘୋଷଣା କରିନାହାନ୍ତି।
ପୁଣି ବସିପାରେ ସଂସଦ, ସରକାରଙ୍କ ସମ୍ଭାବ୍ୟ ନିଷ୍ପତ୍ତି ନେଇ ଇଙ୍ଗିତ ଦେଲେ ରିଜିଜୁ
