ରାୟଗଡା : ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ୨୦ ବର୍ଷ ଜେଲ । ୧୦ ହଜାର ଟଙ୍କା ଜରିମାନା। ନାବାଳିକା ଦୁଷ୍କର୍ମ ମାମଲାରେ ଅଦାଲତଙ୍କ ରାୟ। ଅଭିଯୁକ୍ତ ଚିତ୍ରସେନ ପାଲକାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ହୋଇଛି । ଜୋରିମାନା ଅନାଦାୟ ଅତିରିକ୍ତ ଏକ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ରାୟଗଡ଼ା ଜିଲ୍ଲା ଆମ୍ବଦଳା ଥାନା ଅଞ୍ଚଳର ଏଡିଜେ ସଞ୍ଜୀବ କୁମାର ବେହେରା ଦଣ୍ଡାଦେଶ ଦେଇଛନ୍ତି ।
ଏଥିସହ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩ ମସିହା ଫେବ୍ରୁଆରୀ ୨୩ରେ ସ୍କୁଲରୁ ଫେରୁଥିବା ଜଣେ ନାବାଳିକାଙ୍କୁ ଆମ୍ବଦଳା ଥାନା ଅଞ୍ଚଳରେ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଆମ୍ବଦଳା ଥାନାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ମାମଲାରେ ଚିତ୍ରସେନ ପାଲକାକୁ ପୋଲିସ ଗିରଫ କରିଥିଲା ।
ପୋଲିସ ତଦନ୍ତ ସମୟରେ ମୋଟ ୨୯ ଜଣ ସାକ୍ଷୀଙ୍କ ମଧ୍ୟରୁ ୨୮ ଜଣଙ୍କ ସାକ୍ଷ୍ୟକୁ ଆଧାର କରି ଅଦାଲତରେ ପ୍ରମାଣ ଉପସ୍ଥାପନ କରିଥିଲା । ମାମଲାର ଶୁଣାଣି ବେଳେ ଉପସ୍ଥାପିତ ତଥ୍ୟ ଓ ପ୍ରମାଣକୁ ବିଚାର କରି ଅଦାଲତ ଅଭିଯୁକ୍ତ ଚିତ୍ରସେନ ପାଲକାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଇପିସିର ଧାରା ୩୭୬(୩), ୩୪୧ ଏବଂ ପୋକ୍ସୋ ଆଇନର ସମ୍ପୃକ୍ତ ଧାରା ଅନୁଯାୟୀ ଦୋଷୀକୁ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ହୋଇଛି। ଏଥିସହ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।
