ଲକ୍ଷ୍ନୌରେ ସ୍ବାଇନ୍ ଫ୍ଲୁରେ ଜଣେ ମହିଳା ମୃତ

Swine flu

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ସ୍ବାଇନ୍ ଫ୍ଲୁକୁ ନେଇ ଚିନ୍ତା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ସ୍ବାଇନ୍ ଫ୍ଲୁ କାରଣରୁ ଲକ୍ଷ୍ନୌରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ମହିଳା ଜଣଙ୍କ ବୟସ ହେଉଛି ୫୦ ବର୍ଷ ଏବଂ  ଇନ୍ଦିରାନଗରର ବାସିନ୍ଦା ।

ସୂଚନାନୁଯାୟୀ, କିଛି ଦିନ ପୂର୍ବରୁ ମହିଳାଙ୍କୁ ଥଣ୍ଡା, ଜ୍ବର ଏବଂ ନିଶ୍ବାସ ନେବାରେ କଷ୍ଟ ହୋଇଥିଲା । ପରିବାର ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏହି ସବୁ ଲକ୍ଷଣକୁ ଦୃଷ୍ଟିରେ ରଖି ସ୍ବାଇନ୍ ଫ୍ଲୁ ପରୀକ୍ଷା କରାଯାଇଥିଲା । ଫଳରେ ଚିହ୍ନଟ କରାଯାଇ ଡାକ୍ତର ମହିଳାଙ୍କୁ ହାୟର ସେଣ୍ଟରକୁ ନିଆଯିବା ପାଇଁ ପରାମର୍ଶ ଦେଇଥିଲେ । ପରିବାର ଲୋକେ ଅଗଷ୍ଟ ୨୫ ତାରିଖରେ ମହିଳାଙ୍କୁ ବଳରାମପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହସ୍ପିଟାଲରେ ଥିବା ସମୟରେ ମହିଳାଙ୍କୁ ନିଶ୍ବାସ ନେବାରେ ଆହୁରି ଅଧିକ ବଢିବାରେ ଲାଗିଲା । ତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ଅକ୍ସିଜେନ୍ ସପୋର୍ଟ ଏବଂ ଲାଇଫ୍ ସପୋର୍ଟରେ ରଖାଯାଇଥିଲା । ହେଲେ ଗୁରୁବାର ଅପରାହ୍ଣ ସମୟ ପ୍ରାୟ ୨ଟାବେଳେ ମହିଳାଙ୍କର ମୃତ୍ୟୁ ଘଟିଥିଲା ।  କିନ୍ତୁ ମହିଳାଙ୍କ ସ୍ବାଇନ୍ ଫ୍ଲୁ ପଜେଟିଭ୍ ବିଷୟରେ ଡାକ୍ତରମାନେ ଜଣାଇନଥିବା  ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ସେପଟେ ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଡାକ୍ତରଙ୍କୁ ସ୍ବାଇନ୍ ଫ୍ଲୁ ରିପୋର୍ଟ ଦେଖାଇଥିଲେ । ଯାହା ହସ୍ପିଟାଲ ପ୍ରଶାସନରେ ହଇଚଇ ସୃଷ୍ଟି କରିଥିଲା । ସତର୍କତା ସ୍ବରୂପ ମହିଳାଙ୍କ ଆଖପାଖରେ ଥିବା ରୋଗୀଙ୍କର ସ୍ବାଇନ୍ ଫ୍ଲୁ ଟେଷ୍ଟ ପାଇଁ ନମୂନା ସଂଗ୍ରହ କରାଯାଇଥିଲା । ଏଥିସହ ମହିଳାଙ୍କ ଚିକିତ୍ସା କରୁଥିବା ୧୭ ଜଣ ଡାକ୍ତର ଏବଂ କର୍ମଚାରୀଙ୍କ ନମୂନା KGMU ପଠାଯାଇଛି । ମହିଳାଙ୍କ ଚିକିତ୍ସା କରିଥିବା ଡାକ୍ତର ଏବଂ କର୍ମଚାରୀମାନଙ୍କୁ ନିଜକୁ ଅଲଗା ରଖିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗର ଟିମ୍ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବ । ପରିବାର ଲୋକଙ୍କୁ ଆଇସୋଲେସନରେ ରଖିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ସେମାନଙ୍କୁ ଆବଶ୍ୟକୀୟ ଔଷଧ ଦେବା ସହ ସାବଧାନର ସହ ରହିବାକୁ ଅନୁରୋଧ କରିଛି । ଅଧିକାରୀଙ୍କ ମୁତାବକ, ଯଦି ପରିବାରରେ କୌଣସି ବ୍ୟକ୍ତିଙ୍କୁ ଥଣ୍ଡା, ଜ୍ବର, କାଶ ଏବଂ ନିଶ୍ବାସ ନେବାରେ କଷ୍ଟ ହେବା ଭଳି ସମସ୍ୟାର ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ସ୍ବାସ୍ଥ୍ୟ କେନ୍ଦ୍ର ଯାଇ ଡାକ୍ତରୀ ପରାମର୍ଶ ନିଅନ୍ତୁ ।

Share