ଭୁବନେଶ୍ୱର: ବିଶ୍ୱବ୍ୟାପୀ ଖାଦ୍ୟ, ସାର ଓ ଇନ୍ଧନ ଯୋଗାଣ ସଙ୍କଟର ପ୍ରଭାବକୁ ଦୃଷ୍ଟିରେ ରଖି ରନ୍ଧନ ତେଲର ବ୍ୟବହାର କମାଇବାକୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜକୁ ପରାମର୍ଶ ଦେଇଛି ଉଚ୍ଚଶିକ୍ଷା ବିଭାଗ। ଏନେଇ ବିଭାଗ ପକ୍ଷରୁ ସମସ୍ତ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଜାରି କରାଯାଇଛି।
ଉଚ୍ଚଶିକ୍ଷା ବିଭାଗର ଏହି ନିର୍ଦ୍ଦେଶନାମା ଅନୁଯାୟୀ, କଲେଜ ହଷ୍ଟେଲ ଓ କ୍ୟାଣ୍ଟିନ୍ରେ ଖାଦ୍ୟ ପ୍ରସ୍ତୁତି ସମୟରେ ରନ୍ଧନ ତେଲର ବ୍ୟବହାର କମାଇବା ସହ ଛାତ୍ରଛାତ୍ରୀଙ୍କ ଖାଦ୍ୟାଭ୍ୟାସରେ ଅଧିକ ତେଲ ବ୍ୟବହାର ହ୍ରାସ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। କୋଭିଡ୍ ମହାମାରୀ ପରଠାରୁ ବିଶ୍ୱ ବାରମ୍ବାର ଯୋଗାଣ ଶୃଙ୍ଖଳାରେ ବାଧା ଏବଂ ବିଭିନ୍ନ ସଙ୍କଟର ସମ୍ମୁଖୀନ ହେଉଛି। ୟୁକ୍ରେନ୍ରେ ସଂଘର୍ଷ ଯୋଗୁଁ ଖାଦ୍ୟ, ସାର ଓ ଇନ୍ଧନର ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ବେଳେ ଇରାନ୍ର ସାମ୍ପ୍ରତିକ ସଂଘର୍ଷ ଏହି ସଙ୍କଟକୁ ଆହୁରି ଗୁରୁତର କରିଛି। ଏହାର ଆର୍ଥିକ ପ୍ରଭାବରୁ ବିଶ୍ୱର କୌଣସି ଦେଶ ସମ୍ପୂର୍ଣ୍ଣ ଭାବେ ମୁକ୍ତ ନୁହେଁ ବୋଲି ବିଭାଗ ଉଲ୍ଲେଖ କରିଛି।
ଦୀର୍ଘସ୍ଥାୟୀ ଏହି ସଙ୍କଟର ନକାରାତ୍ମକ ପ୍ରଭାବ ଭାରତ ମଧ୍ୟ ଅନୁଭବ କରୁଥିବାରୁ ଇନ୍ଧନ ଚାହିଦା ହ୍ରାସ କରିବା ସହ ବିଭିନ୍ନ କ୍ଷେତ୍ରରେ ସଚେତନ ଓ ସଂଯମୀ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଦେଶ ସମ୍ମୁଖୀନ ହେଉଥିବା ସଙ୍କଟର ମୁକାବିଲାରେ ନାଗରିକମାନେ ନିଜ ନିଜ ସ୍ତରରେ ଛୋଟ ଛୋଟ ଅବଦାନ ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିବା ଚିଠିରେ ଦର୍ଶାଯାଇଛି।
