ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ। ଶନିବାର ପୂର୍ବାହ୍ଣ ପ୍ରାୟ ୯ଟା ୩୦ ସମୟରେ ପାରଳାଖେମୁଣ୍ଡିସ୍ଥିତ ଗଜପତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ହଠାତ୍ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡରେ କାର୍ଯ୍ୟାଳୟର ବହୁ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲ୍ ଓ ଆସବାବପତ୍ର ପୋଡ଼ି ଯାଇଛି। ନିଆଁ ଲାଗିବା ନେଇ ସୂଚନା ପାଇ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାୟ ଦେଢ଼ ଘଣ୍ଟା ଧରି ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।
ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ ଥିବାବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଶନିବାର ପୂର୍ବାହ୍ନରେ କାର୍ଯ୍ୟାଳୟ ଖୋଲିବା ପୂର୍ବରୁ କର୍ମଚାରୀମାନେ କମ୍ପ୍ୟୁଟର ସେକ୍ସନରୁ ଧୂଆଁ ବାହାରୁଥିବା ଦେଖିଥିଲେ। ତୁରନ୍ତ ଏନେଇ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ସୂଚନା ପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲା। ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡରେ କମ୍ପ୍ୟୁଟର ସେକ୍ସନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା କହିଛନ୍ତି ଗଜପତି ଆଞ୍ଚଳିକ ପରିବହନ ଅଧିକାରୀ ତପନ କୁମାର ବେଟି।
ସୌଭାଗ୍ୟବଶତଃ କାର୍ଯ୍ୟାଳୟକୁ କର୍ମଚାରୀମାନେ ଆସିବା ପୂର୍ବରୁ ଏହି ଅଘଟଣ ଘଟିଥିବାରୁ କୌଣସି ଜୀବନହାନି ହୋଇନାହିଁ। ତେବେ ଅଗ୍ନିକାଣ୍ଡରେ କାର୍ଯ୍ୟାଳୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଜଳିଯାଇଥିବା ସରକାରୀ ଫାଇଲ୍ ଓ ଅନ୍ୟାନ୍ୟ ସାମଗ୍ରୀର କ୍ଷୟକ୍ଷତିର ପରିମାଣ ଆକଳନ ପରେ ଜଣାପଡ଼ିବ ବୋଲି ଆରଟିଓ ସୂଚନା ଦେଇଛନ୍ତି।
