ସେହିପରି ପ୍ରତ୍ୟେକ ଜିଲ୍ଲାରେ ଥିବା ବ୍ଲକ୍ ସଂଖ୍ୟାକୁ ଆଧାର କରି ଆନୁପାତିକ ଭାବେ ପାଣ୍ଠି ବଣ୍ଟନ କରାଯିବ। ପ୍ରତିବର୍ଷ ସରକାର ନିର୍ଦ୍ଧାରଣ କରୁଥିବା ପ୍ରାଥମିକତା ଅନୁଯାୟୀ ବିଭିନ୍ନ କ୍ଷେତ୍ରରେ ପାଣ୍ଠି ଖର୍ଚ୍ଚ ହେବ।
ପ୍ରକଳ୍ପ ଚୟନ ସମୟରେ ଗୁରୁତର ଭିତ୍ତିଭୂମି ଅଭାବ ଓ ତୁରନ୍ତ ଆବଶ୍ୟକତା ଥିବା ପ୍ରକଳ୍ପକୁ ଗୁରୁତ୍ୱ ଦିଆଯିବ। କେବିକେ ଜିଲ୍ଲାପାଳ ଓ ଲୋକପ୍ରତିନିଧିଙ୍କ ପ୍ରସ୍ତାବକୁ ମଧ୍ୟ ସମ୍ଭାବ୍ୟତା ଏବଂ ଉପଲବ୍ଧ ବଜେଟ୍ ଆଧାରରେ ବିଚାର କରାଯାଇପାରିବ।
ଅନ୍ୟ ରାଜ୍ୟ ଯୋଜନା, କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା, କେନ୍ଦ୍ରୀୟ ଯୋଜନା କିମ୍ବା ଅନ୍ୟ ଉତ୍ସରୁ ପାଣ୍ଠି ମିଳୁନଥିବା ବା ଅପର୍ଯ୍ୟାପ୍ତ ଥିବା ପ୍ରକଳ୍ପରେ ଆଇଡିଏଫ୍ ପାଣ୍ଠି ବ୍ୟବହାର କରାଯିବ। ସେହିପରି ପ୍ରତ୍ୟେକ ପ୍ରକଳ୍ପର ଖର୍ଚ୍ଚ ଓ ଉପଯୋଗିତାକୁ ମଧ୍ୟ ଯାଞ୍ଚ କରାଯିବ।
ପ୍ରକଳ୍ପ ଚୟନ ଓ ସ୍ଥାନ ନିର୍ଦ୍ଧାରଣରେ ସ୍ୱଚ୍ଛତା ରକ୍ଷା କରିବାକୁ ନିର୍ଦ୍ଦେଶ ରହିଛି। ସମ୍ପୃକ୍ତ ବିଭାଗଗୁଡ଼ିକୁ ପ୍ରତିମାସର ୧୦ ତାରିଖ ସୁଦ୍ଧା ପୂର୍ବମାସର ଆର୍ଥିକ ଓ ଭୌତିକ ପ୍ରଗତିର ମାସିକ ରିପୋର୍ଟ ଦାଖଲ କରିବାକୁ ହେବ। ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ନିୟମିତ ପ୍ରକଳ୍ପ ପରିଦର୍ଶନ କରି କାମର ଗୁଣବତ୍ତା ଯାଞ୍ଚ କରିବେ।
ଏଥିସହ ପ୍ରତ୍ୟେକ ବିଭାଗକୁ ପ୍ରକଳ୍ପ ଡାଇରେକ୍ଟୋରି ପ୍ରସ୍ତୁତ କରି ସମୟ ସମୟରେ ବିଭାଗୀୟ ୱେବ୍ସାଇଟ୍ରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ରହିଛି। ଏହା ଦ୍ୱାରା ପ୍ରକଳ୍ପ ଚୟନ, କାର୍ଯ୍ୟାନ୍ୱୟନ ଓ ପାଣ୍ଠି ବ୍ୟବହାରରେ ସ୍ୱଚ୍ଛତା ଆହୁରି ବଢ଼ିବ ବୋଲି କୁହାଯାଇଛି।
