ଭୁବନେଶ୍ୱର: ରାଜ୍ୟରେ ଧାନ ପଞ୍ଜୀକରଣ ଅବଧି ଆଉ ୭ ଦିନ ବୃଦ୍ଧି କରାଯାଇଛି। ଆସନ୍ତାକାଲି ପଞ୍ଜୀକରଣର ଶେଷ ତାରିଖ ଥିବା ବେଳେ ଅନେକ ଚାଷୀ ବିଭିନ୍ନ କାରଣରୁ ପଞ୍ଜୀକରଣ କରିପାରୁନଥିବାରୁ ଏହି ଅବଧି ବଢ଼ାଯାଇଛି। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ରାଜ୍ୟରେ ୧୭ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିସାରିଛନ୍ତି। ତେବେ ଗତବର୍ଷ ମୋଟ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ବାକି ଚାଷୀମାନଙ୍କୁ ପଞ୍ଜୀକରଣର ସୁଯୋଗ ଦେବାକୁ ସରକାର ଅବଧି ବୃଦ୍ଧି କରିଛନ୍ତି।ଅନ୍ୟପକ୍ଷରେ, କେତେକ ଅଞ୍ଚଳରେ ନେଟୱାର୍କ ସମସ୍ୟା ଯୋଗୁଁ ପଞ୍ଜୀକରଣରେ ବାଧା ଉପୁଜୁଥିବା ଅଭିଯୋଗ ଆସିଛି। ଯେଉଁ ସ୍ଥାନରେ ନେଟୱାର୍କ ସମସ୍ୟା ରହିଛି, ସେଠାରେ ସମସ୍ୟାର ସମାଧାନ ପାଇଁ ବୈଷୟିକ ଟିମ୍ ସହ ଆଲୋଚନା କରାଯାଇଛି। ଅବଧି ବୃଦ୍ଧି ଫଳରେ ପଞ୍ଜୀକରଣରୁ ବଞ୍ଚିତ ଚାଷୀମାନେ ଆଉ ଥରେ ସୁଯୋଗ ପାଇବେ।
