ରାଷ୍ଟ୍ରପତି ଭବନରେ ଗଞ୍ଜାମ ଜିଲ୍ଲାର ୫ଟି ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର

DRAUPADI MURMU

ବ୍ରହ୍ମପୁର : ନିକଟରେ ଗଞ୍ଜାମ ଗସ୍ତ ସମୟରେ ତପ୍ତପାଣିଠାରେ ଆଦିବାସୀ ଓ ଲୋକନୃତ୍ୟ ଦେଖି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବେଶ୍ ପ୍ରଭାବିତ ହୋଇଥିଲେ । ସେହି ସାଂସ୍କୃତିକ ପ୍ରଦର୍ଶନରେ ମୁଗ୍ଧ ହୋଇ କଳାକାରମାନଙ୍କୁ ରାଷ୍ଟ୍ରପତି ଭବନକୁ ଆମନ୍ତ୍ରଣ କରିଥିଲେ ରାଷ୍ଟ୍ରପତି ।

ରାଷ୍ଟ୍ରପତିଙ୍କ ଆମନ୍ତ୍ରଣରେ ଗଞ୍ଜାମର ୫ଟି ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ କଳାକାର ଦିଲ୍ଲୀ ଯାଇଥିଲେ । କଳାକାରମାନଙ୍କ ସହ ଆଲୋଚନା ବେଳେ ନିଜ ପୂର୍ବପୁରୁଷଙ୍କଠାରୁ ମିଳିଥିବା କଳା ଓ ସାଂସ୍କୃତିକ ପରମ୍ପରାକୁ ସଂରକ୍ଷଣ ଓ ପ୍ରଚାର କରିବାକୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପରାମର୍ଶ ଦେଇଥିଲେ ।

ଯୁବ କଳାକାରମାନେ ପାଠପଢ଼ା ସହ ନିଜ ନିଜ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରି ସ୍ୱାବଲମ୍ବୀ ହେବାକୁ ମଧ୍ୟ ସେ ଆହ୍ୱାନ ଦେଇଥିଲେ । ଗଞ୍ଜାମର ସୌରା ଜନଜାତିର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ । ରାଷ୍ଟ୍ରପତି ଭବନ ପରିଦର୍ଶନ ଓ ରାଷ୍ଟ୍ରପତିଙ୍କ ସହ ଦୀର୍ଘ ସମୟ ଧରି ଭାବ ବିନିମୟ କରିବାର ସୁଯୋଗ କଳାକାରମାନଙ୍କ ପାଇଁ ପାଲଟିଛି ଏକ ଅବିସ୍ମରଣୀୟ ଅନୁଭୂତି ।

ରାଷ୍ଟ୍ରପତି ଭବନ ପରିଦର୍ଶନ, ମହାମହିମ ରାଷ୍ଟ୍ରପତିଙ୍କ ସହ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଭାବ ବିନିମୟ ଏବଂ ନୂଆଦିଲ୍ଲୀର ବିଭିନ୍ନ ଐତିହାସିକ ଓ ଦର୍ଶନୀୟ ସ୍ଥାନ ପରିଦର୍ଶନର ସୁଯୋଗ ପାଇଥିବାରୁ କଳାକାରମାନେ ଜିଲ୍ଲା ପ୍ରଶାସନ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ସୌର ପାରମ୍ପରିକ ସାଂସ୍କୃତିକ ନାଟ୍ୟ ସଂଘର ଶ୍ରୀ ଜଗନ୍ନାଥ ନାୟକ ଏହି ଅନୁଭୂତିକୁ ଜୀବନର ଏକ ସ୍ମରଣୀୟ ଅଧ୍ୟାୟ ବୋଲି କହିଛନ୍ତି ।

ଏହି ପ୍ରତିନିଧି ଦଳ ସହିତ ଅତିରିକ୍ତ ଉପଜିଲ୍ଲାପାଳ, ଛତ୍ରପୁର ଶ୍ରୀ ପାର୍ଥ ସାରଥୀ ହାଁସଦା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଅଦିତି ଆଚାର୍ଯ୍ୟ, ଶ୍ରୀ ମନୋଜ କୁମାର ପ୍ରଧାନଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଦିଲ୍ଲୀ ଗସ୍ତ କରିଥିଲେ ।

Share