ଦିଶା ସାଲିଆନ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ

02bbs 48 02092026 112 2026 09 02 19 43

ନୂଆଦିଲ୍ଲୀ : ଦିଶା ସାଲିଆନ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ତଦନ୍ତରେ ମୁମ୍ବାଇ ପୋଲିସ ଅବହେଳା କରିଥିବା ଅଭିଯୋଗ ଆଣିଥିଲେ  ଦିଶାଙ୍କ ବାପା ।  ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ  ଜଣେ ବରିଷ୍ଠ ସିବିଆଇ ଅଧିକାରୀଙ୍କୁ ତଦନ୍ତ ଭାର ଦିଆଯଇବାକୁ ମୁମ୍ୱାଇ ସିବିଆଇର  ଜଏଣ୍ଟ ଡାଇରେକ୍ଟରଙ୍କୁ  ନିର୍ଦ୍ଦେଶ ଦିଆଯାଇଛି  ଏବଂ ପ୍ରମାଣ ନମିଳିବା ପର୍ଯ୍ୟନ୍ତ କାହାକୁ ବି ଅଭିଯୁକ୍ତ କରାଯିବ ନାହିଁ । ମୁମ୍ବାଇ ପୋଲିସ ଏହି ମାମଲାରେ  FIR  ରୁଜୁ ନକରି କେବଳ ଅପମୃତ୍ୟୁ ମାମଲା ଭାବେ ଦୀର୍ଘଦିନ ଧରି ତଦନ୍ତ ଚଳାଇଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଦିଶା ସାଲିଆନଙ୍କ ପିତା ସତୀଶ ସାଲିଆନ ଦାଖଲ କରିଥିବା  ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।   ଆବେଦନରେ ଦିଶାଙ୍କ ମୃତ୍ୟୁ  ତଦନ୍ତରେ ମୁମ୍ବାଇ ପୋଲିସ ଅବହେଳା କରିଥିବା ଅଭିଯୋଗ କରାଯାଇଥିଲା ।  ଜୁନ୍ ୮ ତାରିଖ ୨୦୨୦ରେ  ମାଲାଡ୍ ଅଞ୍ଚଳରେ ଏକ ଆପାର୍ଟମେଣ୍ଟର ୧୪ ମହଲାରୁ ପଡ଼ି ଦିଶାଙ୍କ ମୃତ୍ୟୁ ଘଟିଥିଲା ।  ଘଟଣାର  କିଛି ଦିନ ପରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।  ମୁମ୍ବାଇ ପୋଲିସର ପ୍ରାରମ୍ଭିକ ତଦନ୍ତରେ ଅନେକ ତ୍ରୁଟି ଥିବା ଦର୍ଶାଇ ଦିଶାଙ୍କ ପିତା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।  ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ପରିବାରକୁ ପୋଷ୍ଟମର୍ଟମ କିମ୍ବା ପୋଲିସ ରିପୋର୍ଟର କପି ଦିଆଯାଇନଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ।  ଘଟଣାସ୍ଥଳର ସିସିଟିଭି କଭରେଜ୍ ନଥାଇବା, ଏକ ବନ୍ଦ କବାଟକୁ ନେଇ ଦ୍ୱନ୍ଦ୍ୱ ଏବଂ ନିୟମ ଅନୁଯାୟୀ ଦୁଇ ଜଣଙ୍କ ବଦଳରେ ମାତ୍ର ଜଣେ ଡାକ୍ତରଙ୍କ ଦ୍ୱାରା ପୋଷ୍ଟମର୍ଟମ କରାଯିବା ଭଳି ଗୁରୁତର ତ୍ରୁଟିକୁ କୋର୍ଟ ଚିହ୍ନଟ କରିଛନ୍ତି ।

Share