ପ୍ରଶାସନିକ ଅନୁମୋଦନ ଏବଂ ପ୍ରକଳ୍ପର ପ୍ରକୃତ କାର୍ଯ୍ୟାନ୍ୱୟନ ମଧ୍ୟରେ ଥିବା ବ୍ୟବଧାନକୁ କମାଇବା ଏହି କ୍ଷେତ୍ରସ୍ତରୀୟ ତଦାରଖର ମୁଖ୍ୟ ଉଦ୍ଦେଶ୍ୟ। ସ୍ଥଳସ୍ତରୀୟ ସମୀକ୍ଷା ମାଧ୍ୟମରେ ଭିତ୍ତିଭୂମି ସମ୍ପର୍କିତ ସମସ୍ୟା ଓ ଅଭାବଗୁଡ଼ିକୁ ତ୍ୱରିତ ଚିହ୍ନଟ କରାଯାଇ ସମ୍ପୃକ୍ତ ବିଭାଗ ଓ ସଂସ୍ଥାଗୁଡ଼ିକ ସହ ସମନ୍ୱୟରେ ସମୟବଦ୍ଧ ପଦକ୍ଷେପ ନିଆଯାଉଛି। ଦ୍ରୁତ ପ୍ରଶାସନିକ ଅନୁମୋଦନ ଓ ନିୟମିତ କ୍ଷେତ୍ରସ୍ତରୀୟ ତଦାରଖ, ଏହି ଦ୍ୱିମୁଖୀ ରଣନୀତିର ଲକ୍ଷ୍ୟ ହେଉଛି ଶିଳ୍ପ ଜମି ବଣ୍ଟନକୁ କେବଳ ଏକ ପ୍ରଶାସନିକ ପ୍ରକ୍ରିୟା ଭାବେ ସୀମିତ ନ ରଖି ଏହାକୁ ବାସ୍ତବ ପୁଞ୍ଜିନିବେଶ, ନିଯୁକ୍ତି ସୃଷ୍ଟି ଓ ଦୀର୍ଘମିଆଦୀ ଅର୍ଥନୈତିକ ବିକାଶରେ ପରିଣତ କରିବା।
ସୁଦୃଢ଼ ଜମି ପରିଚାଳନା, ଉନ୍ନତ ଶିଳ୍ପ ଭିତ୍ତିଭୂମି ଏବଂ ନିବେଶକ ସୁଗମତାକୁ ନିରନ୍ତର ପ୍ରାଥମିକତା ଦେଇ ଇଡ୍କୋ ଓଡ଼ିଶାକୁ ଏକ ଦ୍ରୁତଗତିଶୀଳ, ପ୍ରତିଯୋଗିତାମୂଳକ ଓ ନିବେଶ-ଅନୁକୂଳ ଶିଳ୍ପ ଗନ୍ତବ୍ୟସ୍ଥଳ ଭାବେ ଗଢ଼ି ତୋଳିବା ଦିଗରେ କାର୍ଯ୍ୟ କରୁଛି। ଏହା ମାଧ୍ୟମରେ ବୃହତ ଶିଳ୍ପ ନିବେଶ ସହ ଏମ୍ ଏସ୍ ଏମ୍ ଇ କ୍ଷେତ୍ରର ବିସ୍ତାର, ସ୍ଥାନୀୟ ନିଯୁକ୍ତି ସୃଷ୍ଟି ଏବଂ ସମାବେଶୀ ଓ ଆଞ୍ଚଳିକ ଭାରସାମ୍ୟପୂର୍ଣ୍ଣ ଶିଳ୍ପ ବିକାଶକୁ ଅଧିକ ଗତି ମିଳିବ।
