ପଙ୍କ କାଦୁଅ ତଳୁ ଉଦ୍ଧାର ହେଲାଣି ୧୨୨୨ ମୃତଦେହ, ପ୍ରାୟ ୫ ହଜାର ନିଖୋଜ

Nepal

କାଠମାଣ୍ଡୁ : ନେପାଳରେ ଆସିଥିବା ଜଳପ୍ରଳୟ ପରେ ମୃତଦେହ ଉଦ୍ଧାର କାର୍ଯ୍ୟ ଲଗାତାର ଜାରି ରହିଛି । ନେପାଳ ପୋଲିସ ତାଜା ରିପୋର୍ଟ ଅନୁଯାୟୀ, ଦେଶରେ ଏଯାଏଁ ୧୨୨୨ ମୃତଦେହ ଜବତ କରାଯାଇଥିବା ବେଳେ ୪୮୭୫ ନିଖୋଜ ରହିଛନ୍ତି । ନିଖୋଜ ଥିବାଙ୍କ ମଧ୍ୟରେ ୬୦୧ ଜଣ ବିଦେଶୀ ନାଗରିକ ସାମିଲ ରହିଛନ୍ତି । ଏଯାଏଁ ୬.୦୦୬ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ପ୍ରଭାବିତ ଅଞ୍ଚଳରେ ମୋଟ ୭୮୯୨ ପୋଲିସ କର୍ମୀ ନିୟୋଜିତ ରହିଥିଲେ । ସେମାନଙ୍କ ମଧ୍ୟରୁ ୬୫ ଜଣ ପ୍ରଭାବିତ ହୋଇଥିବା ବେଳେ ୨୫ ଜଣଙ୍କ ଯାଏଁ ନିଖୋଜ ରହିଛନ୍ତି ।

ଖବର ମୁତାବକ, ରାସୁୱାରେ ତାଣ୍ଡବ ରଚିସାରିଥିଲା ପ୍ରଳୟ । ମାତ୍ର କିଛି ମିନିଟରେ ପାହାଡ଼ ଉପରୁ ମାଡ଼ିଆସିଲା ବରଫ, ପଥର, କାଦୁଅ ଓ ପାଣିର ବିଶାଳ ସ୍ରୋତ । ଗତ ୨୬ ତାରିଖରେ ସକାଳ ୮ଟା ୩୭ ମିନିଟରେ ନେପାଳ-ତିବ୍ବତ ସୀମା ନିକଟ ଲେହନ୍ଦେ ଉପତ୍ୟକାରେ ବିଶାଳ ବରଫ ଓ ପଥର ଧସିଥିଲା । ଏହାପରେ ଲ୍ହେନ୍ଦେ-ଭୋଟେକୋଶୀ-ତ୍ରିଶୂଳୀ ନଦୀପଥରେ ଅତି ଦ୍ରୁତ ଗତିରେ ମାଡ଼ିଆସିଥିଲା ପାଣି, କାଦୁଅ, ବରଫ ଓ ବିଶାଳ ପଥରର ସ୍ରୋତ । ମାତ୍ର ୧୦ ମିନିଟରେ ରାସୁୱାଗଢ଼ିରୁ ସ୍ୟାବ୍ରୁବେସୀରେ ପହଞ୍ଚିଥିଲା ବନ୍ୟା । ଜିଲ୍ଲା ପ୍ରଶାସନ ପ୍ରାୟ ସକାଳ ୯ଟାରେ ଜଳବିଜ୍ଞାନ ବିଭାଗ ଏବଂ ଜାତୀୟ ବିପର୍ଯ୍ୟୟ ସଂସ୍ଥାକୁ ଖବର ଦେଇଥିଲା । ଏହାପରେ ୯ଟା ୧୫ ମିନିଟ୍ ରେ SMS, କଲର୍-ଟ୍ୟୁନ୍ ଆଲର୍ଟ, ଗଣମାଧ୍ୟମ ଓ ପୋଲିସ ମାଇକ୍ ଯୋଗେ ଲୋକଙ୍କୁ ନଦୀକୂଳ ଛାଡ଼ି ଉଚ୍ଚ ସ୍ଥାନକୁ ଯିବାକୁ କୁହାଯାଇଥିଲା । ଅର୍ଥାତ୍ ବରଫ-ପଥର ଧସିବାର ୩୮ ମିନିଟ୍ ପରେ ସରକାରୀ ସତର୍କ ସୂଚନା ପହଞ୍ଚିଥିଲା । ସେତେବେଳକୁ ଉପରମୁଣ୍ଡର ଅନେକ ଅଞ୍ଚଳରେ ପ୍ରଳୟ ଘଟିସାରିଥିଲା । ପ୍ରଥମ ବନ୍ୟା ସ୍ରୋତରେ ଟେଲିକମ୍ ଟାୱାର ଓ ବିଭିନ୍ନ ସେନ୍ସର ନଷ୍ଟ ହୋଇଯିବାରୁ ସୂଚନା ପହଞ୍ଚାଇବା ଆହୁରି କଷ୍ଟକର ହୋଇଥିଲା ।

ବନ୍ୟାର ପ୍ରଚଣ୍ଡତା ଏତେ ଅଧିକ ଥିଲା ଯେ କେତେକ ସ୍ଥାନରେ ମାତ୍ର ଅଧଘଣ୍ଟା ମଧ୍ୟରେ ତ୍ରିଶୂଳୀ ନଦୀର ଜଳସ୍ତର ପ୍ରାୟ ୯ ମିଟର ବଢ଼ିଯାଇଥିଲା । ଜଳବିଦ୍ୟୁତ ପ୍ରକଳ୍ପ, ସେତୁ, ରାସୁୱାଗଢ଼ି କଷ୍ଟମ୍ସ କମ୍ପ୍ଲେକ୍ସ ଏବଂ ନଦୀକୂଳର ଅନେକ ଜନବସତି ଧ୍ୱଂସ ହୋଇଯାଇଥିଲା । କାଦୁଅ ଓ ଧ୍ୱଂସାବଶେଷ ନୁୱାକୋଟ, ଧାଦିଙ୍ଗ ଓ ଚିତୱାନ ପର୍ଯ୍ୟନ୍ତ ତଳମୁଣ୍ଡକୁ ଭାସିଯାଇଥିଲା । କାଲି ସୁଦ୍ଧା ୧,୨୦୦ରୁ ଅଧିକ ମୃତଦେହ ଉଦ୍ଧାର ହୋଇଥିବାବେଳେ ଏବେ ବି ହଜାର ହଜାର ଲୋକ ନିଖୋଜ ତାଲିକାରେ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ସ୍ଥାନୀୟ ବାସିନ୍ଦା, ସୁରକ୍ଷାକର୍ମୀ, ଜଳବିଦ୍ୟୁତ ପ୍ରକଳ୍ପର କର୍ମଚାରୀ ଏବଂ ବିଦେଶୀ ଯାତ୍ରୀ ରହିଛନ୍ତି । ଉଦ୍ଧାର, ମୃତଦେହ ଚିହ୍ନଟ ଓ DNA ପରୀକ୍ଷା ଜାରି ରହିଛି ।

Share