ନୂଆଦିଲ୍ଲୀ: ଶୁକ୍ରବାର ଦିନ ବୋଲିଭିଆର ଏକ ସୈନ୍ୟ ବାରାକରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିବା ସହ ଡଜନ ଡଜନ ଲୋକ ଆହତ ହୋଇଛନ୍ତି । ଫଳରେ ଲୋକେ ଭୟରେ ଦୌଡାଦୌଡି ଆରମ୍ଭ କରିଥିଲେ ।
ସୂଚନାନୁଯାୟୀ, ଏହି ବିସ୍ଫୋରଣ ଲାପାଜ୍ ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ବୋଲିଭିଆର ଭାୟାଚା ପୌରପାଳିକାରେ ଘଟିଥିଲା । ଅପରାହ୍ଣ ପ୍ରାୟ ୨ଟା ୩୦ ମିନିଟରେ ଏହି ଅଘଟଣ ଦେଖିବାକୁ ମିଳିଥିଲା । ଏହାରି ମଧ୍ୟରେ ଭିୟାଚାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ରୀତା ନେବ୍ରାସ୍କୋ କହିଛନ୍ତି ଯେ, ୧୦ ରୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବାବେଳେ ୬୨ ଲୋକ ଆହତ ହୋଇଛନ୍ତି । ୧୪ ଜଣ ଆହତଙ୍କୁ ଲାପାଜର ଡାକ୍ତରଖାନାକୁ ନିଆଯାଇଛି । ଆଉ ଏକ ବିସ୍ଫୋରଣ ହେବାର ମଧ୍ୟ ଆଶଙ୍କା ରହିଛି । ତେଣୁ, ଲୋକମାନଙ୍କୁ ଘଟଣାସ୍ଥଳରୁ ଅତି କମରେ ୧୫୦ ମିଟର ଦୂରରେ ରହିବାକୁ କୁହାଯାଇଛି ।
ଏଥିସହ ପୋଲିସ କହିଛି ଯେ ବିସ୍ଫୋରଣରେ ୧୨ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । କ୍ଷୟକ୍ଷତି ଆକଳନ କରିବା ଏବଂ ଆହତମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିବା ପାଇଁ ସାମରିକ କମ୍ପ୍ଲେକ୍ସରେ ଆମ୍ବୁଲାନ୍ସ, ଡାକ୍ତରୀ ଦଳ ଏବଂ ପୁଲିସ ମୁତୟନ କରାଯାଇଛି ।
ଅନ୍ୟପଟେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସୁଦ୍ଧା ଜଣାପଡ଼ିନାହିଁ । କିନ୍ତୁ ଅଧିକାରୀମାନେ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରଣାଳୟର ଆତସବାଜି ସଂରକ୍ଷଣ ସୁବିଧାରୁ ବିସ୍ଫୋରଣ ଘଟିଥିଲା ବୋଲି ସନ୍ଦେହ କରାଯାଇଥିଲା ।
