ମୁଣ୍ଡ ନୁଆଁଇଲା ମେଟା, ଶିଶୁ ସୁରକ୍ଷା ମାମଲାରେ ଭାରତକୁ ସିଧା ରିପୋର୍ଟ ଦେବ

15bbs 36 15092026 112 2026 09 15 20 13

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ରେ ଶିଶୁଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ସୋସିଆଲ ମିଡିଆ କମ୍ପାନିଗୁଡ଼ିକ ଉପରେ ସର୍ତ୍ତକତା ବଢ଼ାଇଥିବା ବେଳେ ମେଟା ଏବେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କିତ ମାମଲାର ସୂଚନା ସିଧାସଳଖ ଦେବାକୁ ରାଜି ହୋଇଛି। ମେଟାର ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ବାଟ୍ସଆପ୍ ଭଳି ପ୍ଲାଟ୍‌ଫର୍ମରେ ଶିଶୁଙ୍କ ଯୌନ ଶୋଷଣ ସମ୍ପର୍କିତ ମାମଲା ସମେତ ଶିଶୁ ସୁରକ୍ଷା ସମ୍ପର୍କିତ ସମସ୍ତ ଘଟଣାର ରିପୋର୍ଟ ଏଣିକି ଇଣ୍ଡିଆନ୍‌ ସାଇବରକ୍ରାଇମ୍‌ କୋଅର୍ଡିନେସନ୍‌ ସେଣ୍ଟର୍‌ (ଆଇ୪ସି) ପରିଚାଳିତ ସାଇବରକ୍ରାଇମ୍‌ ପୋର୍ଟାଲକୁ ସିଧାସଳଖ ପଠାଇବ ମେଟା।

ମେଟାର ଜଣେ ପ୍ରବକ୍ତା କହିଛନ୍ତି, ପ୍ଲାଟ୍‌ଫର୍ମରେ ଶିଶୁଙ୍କ ସୁରକ୍ଷା କମ୍ପାନିର ପ୍ରାଥମିକତା। ଏପରି ଅପରାଧ କରୁଥିବା ଲୋକଙ୍କୁ ଦାୟୀ କରିବା ପାଇଁ କମ୍ପାନି ସରକାରଙ୍କ ସହ ମିଶି କାମ କରିବ। ଏହି ଉଦ୍ୟମକୁ ଆହୁରି ମଜବୁତ କରିବା ପାଇଁ ଶିଶୁ ସୁରକ୍ଷା ସମ୍ପର୍କିତ ମାମଲାଗୁଡ଼ିକୁ ଏଣିକି ଆଇ୪ସି ପରିଚାଳିତ ସାଇବରକ୍ରାଇମ୍‌ ପୋର୍ଟାଲକୁ ସିଧା ରିପୋର୍ଟ କରାଯିବ। ଶିଶୁଙ୍କୁ ଯୌନ ଶୋଷଣ ଓ ଅନ୍ୟ କ୍ଷତିକାରକ ଅନ୍‌ଲାଇନ୍‌ ସାମଗ୍ରୀରୁ ସୁରକ୍ଷିତ ରଖିବାକୁ କେନ୍ଦ୍ର ସରକାର ଏବେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ଉପରେ ଚାପ ବଢ଼ାଇଛନ୍ତି। ଶିଶୁଙ୍କ ଅନ୍‌ଲାଇନ୍‌ ସୁରକ୍ଷାକୁ ଭାରତରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ପ୍ଲାଟ୍‌ଫର୍ମର ମୌଳିକ ଦାୟିତ୍ୱ ବୋଲି ସରକାର କହିଛନ୍ତି। ଶିଶୁଙ୍କ ସୁରକ୍ଷା ପାଇଁ ସକ୍ରିୟ ପଦକ୍ଷେପ ନେଉନଥିବା ପ୍ଲାଟ୍‌ଫର୍ମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ମେଟା ବିରୋଧରେ ଶିଶୁ ଯୌନ ଶୋଷଣ ସାମଗ୍ରୀ ଏବଂ ଏ ସମ୍ପର୍କିତ ବିଜ୍ଞାପନକୁ ନେଇ ଯାଞ୍ଚ ଚାଲିଥିବା ସମୟରେ ଏହି ନିଷ୍ପତ୍ତି ଆସିଛି। ନିକଟରେ ସରକାର ଏପରି କ୍ଷତିକାରକ ସାମଗ୍ରୀ ହଟାଇବା, ସୁରକ୍ଷା ବ୍ୟବସ୍ଥା ମଜବୁତ କରିବା ଓ ଅଧିକ ଦାୟିତ୍ୱଶୀଳ ହେବା ପାଇଁ ମେଟା ସମେତ ସୋସିଆଲ ମିଡିଆ କମ୍ପାନିଗୁଡ଼ିକ ଉପରେ ଚାପ ବଢ଼ାଇଥିଲେ। ଅନ୍ୟ ପ୍ଲାଟ୍‌ଫର୍ମଗୁଡ଼ିକ ସହ ମଧ୍ୟ ଆଲୋଚନା ଜାରି ରହିଛି।

Share