UPI ପେମେଣ୍ଟ ଉପରେ ଚାର୍ଜକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ ଗାନ୍ଧି

Rahul

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବୁଧବାର ୟୁପିଆଇ ଟ୍ରାଞ୍ଜାକ୍ସନ ନିମନ୍ତେ କେନ୍ଦ୍ର ସରକାରଙ୍କ ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (ଏମଡିଆର) ଫ୍ରେମ ୱାର୍କକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ସେ ସରକାର ଆମେରିକା ଚାପ ଆଗରେ ମୁଣ୍ଡ ନୁଆଁଉଥିବାର ଅଭିଯୋଗ କରିଛନ୍ତି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାହସ ପ୍ରଦର୍ଶନ କରିବାକୁ କହିଛନ୍ତି। ଏଥିରେ ରାହୁଲ ଗାନ୍ଧି ସୋସିଆଲ ମିଡିଆ ଏକ୍ସ ରେ ପୋଷ୍ଟ କରିଥିବା ଏକ ଭିଡିଓରେ ୟୁପିଆଇ ଉପରେ ଚାର୍ଜ ଲଗାଇବା ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ତୁଳନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସହ କରିଛନ୍ତି।

ରାହୁଲ ଗାନ୍ଧି କହିଛନ୍ତି ଯେ ଥରେ ଇନ୍ଦିରାଜୀଙ୍କୁ ପଚରା ଯାଇଥିଲା ଯେ ସେ ବାମକୁ ନା ଦକ୍ଷିଣକୁ ଅଧିକ ଗୁରୁତ୍ୱ କାହାକୁ ଦିଅନ୍ତି। ଏହାର ଜବାବରେ ଇନ୍ଦିରା କହିଥିଲେ ଯେ ମୁଁ ନା ବାମକୁ ଗୁରୁତ୍ୱ ଦିଏ ନା ଦକ୍ଷିଣକୁ ମୁଁ ସିଧା ଛିଡା ହୋଇଛି। ଏହା ପରେ ରାହୁଲ ୟୁପିଆଇ ଫ୍ରେମ ୱାର୍କର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏକ ଭିନ୍ନ ଉପାୟ ଅବଲମ୍ବନ କରୁଥିବା କହିଛନ୍ତି। ସେ କହିଛନ୍ତି ଯେ ମୋଦିଙ୍କ ଦର୍ଶନ ସମ୍ପୂର୍ଣ୍ଣ ଭିନ୍ନ ସେ ନା ତ ଲେଫ୍ଟ ନା ରାଇଟ୍ ବରଂ ସେ ଡୋନାଲ୍ଟ ଟ୍ରମ୍ପଙ୍କ ଆଗରେ ପୁରା ନଇଁ ପଡୁଛନ୍ତି। ରାହୁଲ କହିଛନ୍ତି ଯେ ମୋଦିଜୀ ୟୁପିଆଇ ଉପରେ ଶୁଳ୍କ ଲଗାଇ ସବୁ ଭାରତୀୟଙ୍କୁ ଭାରାକ୍ରାନ୍ତ କରିଛନ୍ତି।

ରାହୁଲ କହିଛନ୍ତି ଯେ ମୋଦିଜୀ ଦୟାକରି ଆମେରିକା ଆଗରେ ଆଉ ଅଧିକ ନୁଅନ୍ତୁ ନାହିଁ, ଦୁଃସାହସ ପ୍ରଦର୍ଶନ କରନ୍ତୁ ଓ ୟୁପିଆଇ ଟ୍ୟାକ୍ସ ପ୍ରତ୍ୟାହାର କରନ୍ତୁ। ଏହା ପୂର୍ବରୁ କଂଗ୍ରେସ ନୂଆ ଏମଡିଆରକୁ ‘ମୋଦି ଟ୍ୟାକ୍ସ’ ବୋଲି କହିଥିଲା ଓ ଏହାକୁ ଆମେରିକା ଚାପରେ ନିଆଯାଇଛି ବୋଲି ଅଭିଯୋଗ କରିଥିଲା। ପାର୍ଟି ଦେଶରେ ଏହି ପଲିସି ଲାଗୁ କରାଯିବାରେ ସରକାରଙ୍କ ଉପାୟକୁ ମଧ୍ୟ ସମାଲୋଚନା କରିଛି। ପାର୍ଟିର କମ୍ୟୁନିକେସନ ଇନ୍-ଚାର୍ଜ ତଥା ସାଧାରଣ ସମ୍ପାଦକ ଜୟରାମ ରମେଶ ପ୍ରଥମେ ଘୋଷଣା, ପରେ ବିଚାର ପଦକ୍ଷେପର ଆଉ ଏକ ଉଦାହରଣ ବୋଲି କହିଥିଲେ।

Share