ନୂଆଦିଲ୍ଲୀ: ଫେକ୍ କଲ୍, ସ୍ପାମ୍ କଲ୍ ଓ ଅନିଚ୍ଛାକୃତ କମର୍ସିଆଲ୍ କଲ୍ରେ ଲାଗିବ ଲଗାମ। ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ଏନେଇ ଶୁକ୍ରବାର ନୂଆ ନିୟମ ଲାଗୁ କରିଛି। ନୂଆ ବ୍ୟବସ୍ଥାରେ ରୋବୋକଲ୍, ଅଟୋମେଟେଡ୍ କଲ୍ ଏବଂ ଏଆଇ ଆଧାରିତ ସ୍ପାମ୍ ଚିହ୍ନଟକୁ ନିୟାମକ ପରିସର ଭିତରକୁ ଅଣାଯାଇଛି।
ଏହାଦ୍ୱାରା ସ୍ପାମର୍ଙ୍କ ବିରୋଧରେ ଶୀଘ୍ର ଏବଂ କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରିବ। ଯଦି କୌଣସି ସ୍ପାମରଙ୍କର ୫ କିମ୍ବା ତା’ଠାରୁ ଅଧିକ ୧୦ ଦିନରେ ଚିହ୍ନଟ କରାଯାଏ, ତେବେ ତାଙ୍କର ଟେଲିକମ କନେକ୍ସନ କଟାଯାଇପାରେ। କେବଳ ସେତିକି ନୁହେଁ ତାଙ୍କୁ ଗୋଟିଏ ବର୍ଷ ପାଇଁ ବ୍ଲାକଲିଷ୍ଟେଡ୍ ବି କରାଯାଇପାରେ। ଏହା ବାଦ ଅଟୋମୋଟେଡ୍ କଲ୍ରେ ମିନିଟକୁ ୫ ପଇସା ଚାର୍ଜ ମଧ୍ୟ କସା ଯାଇପାରେ। ଆସନ୍ତୁ ଟ୍ରାଇର ନୂଆ ନିୟମଗୁଡ଼ିକ ଭଲ ଭାବରେ ବୁଝିବା।
ନିୟମ-୧: ୧୦ ଦିନରେ ୫ଟି ନମ୍ବର ସନ୍ଦିଗ୍ଧ ମିଳିଲେ କଟିବ କନେକ୍ସନ୍
ଏଣିକି ଟେଲିକମ୍ କମ୍ପାନୀଗୁଡ଼ିକ ସ୍ପାମ୍ କଲ୍ ଓ ମେସେଜ୍ ପଠାଉଥିବା ନମ୍ବର ଉପରେ ନଜର ରଖିବେ। ଯଦି ୧୦ ଦିନ ମଧ୍ୟରେ ଜଣେ ବ୍ୟକ୍ତି କିମ୍ବା କମ୍ପାନୀ ସହ ଜଡ଼ିତ ୫ଟି ନମ୍ବର ସନ୍ଦେହଜନକ ଭାବେ ଚିହ୍ନଟ ହୁଏ, ତେବେ ତଦନ୍ତ ଆରମ୍ଭ ହୋଇପାରିବ। ତଦନ୍ତ ସମୟରେ ପୁଣିଥରେ କେୱାଇସି ଯାଞ୍ଚ କରାଯିବ ଏବଂ ଆଉଟ୍ଗୋଇଂ କଲ୍ ବନ୍ଦ କରାଯାଇପାରେ। ବାରମ୍ବାର ନିୟମ ଉଲ୍ଲଂଘନ କଲେ ସିମ୍କୁ ସ୍ଥାୟୀ ଭାବେ ବନ୍ଦ କରାଯାଇପାରେ।
ନିୟମ-୨: ରୋବୋକଲ୍ ଓ ଅଟୋମେଟେଡ୍ କଲ୍ ଉପରେ କଡ଼ା ନଜର
କମ୍ପ୍ୟୁଟର କିମ୍ବା ରୋବୋଟିକ୍ ସିଷ୍ଟମ୍ ମାଧ୍ୟମରେ କରାଯାଉଥିବା ଅଟୋମେଟିକ୍ କଲ୍, ରୋବୋକଲ୍ ଏବଂ ରେକର୍ଡେଡ୍ ଭଏସ୍ କଲ୍ ଏଣିକି ଟ୍ରାଇରର କଡ଼ା ନିୟମ ପରିସରରେ ରହିବ। ଏଭଳି କଲ୍ କରୁଥିବା କମ୍ପାନୀଗୁଡ଼ିକୁ ପୂର୍ବରୁ ଟେଲିକମ୍ ଅପରେଟରଙ୍କୁ ଜଣାଇବାକୁ ପଡ଼ିବ ଯେ ସେମାନେ କେଉଁ ନମ୍ବର ବ୍ୟବହାର କରିବେ। ବିନା ସୂଚନାରେ ଅଟୋମେଟିକ୍ କଲ୍ କରାଗଲେ ତାହାକୁ ସ୍ପାମ୍ ଭାବେ ଧରି ବ୍ଲକ୍ କରାଯାଇପାରିବ।
ନିୟମ-୩: ଅନୁମତି ନଥିବା ଅଟୋମେଟିକ୍ କଲ୍ ପାଇଁ ମିନିଟକୁ ୫ ପଇସା ଚାର୍ଜ
ଫେକ୍ କିମ୍ବା ପୂର୍ବ ସୂଚନା ବିନା କରାଯାଉଥିବା ଅଟୋମେଟିକ୍ କଲ୍ ପାଇଁ କମ୍ପାନୀଗୁଡ଼ିକୁ ପ୍ରତି ମିନିଟ୍ରେ ୫ ପଇସା ହିସାବରେ ଚାର୍ଜ ଦେବାକୁ ପଡ଼ିବ। ତେବେ ୧୪୦, ୧୬୦ ଭଳି ଅଧିକୃତ କମର୍ସିଆଲ୍ ନମ୍ବର କିମ୍ବା ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ କଲ୍ ଏହି ଚାର୍ଜରୁ ବାଦ୍ ପଡ଼ିବ।
ନିୟମ-୪: AI ଚିହ୍ନଟ କଲେ ୩ଟି ଅଭିଯୋଗରେ ଆକ୍ସନ୍
ସ୍ପାମ୍ କଲ୍ ଚିହ୍ନଟ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ AIର ସହାୟତା ନିଆଯିବ। ପୂର୍ବରୁ କୌଣସି ନମ୍ବର ବିରୋଧରେ ୧୦ ଦିନ ମଧ୍ୟରେ ୫ଟି ଅଭିଯୋଗ ଆସିଲେ ତାହା ଉପରେ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଥିଲା। ଏବେ AI କୌଣସି ନମ୍ବରକୁ ସନ୍ଦେହଜନକ ଭାବେ ଚିହ୍ନଟ କଲେ ମାତ୍ର ୩ଟି ଅଭିଯୋଗ ମିଳିବା ପରେ ମଧ୍ୟ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇପାରିବ।
ନିୟମ-୫: ଅଭିଯୋଗର ସମାଧାନରେ ସନ୍ତୁଷ୍ଟ ନହେଲେ ୧୫ ଦିନରେ ଅପିଲ୍
ସ୍ପାମ୍ କଲ୍ ସମ୍ପର୍କିତ ଅଭିଯୋଗର ସମାଧାନରେ ଯଦି ଉପଭୋକ୍ତା ସନ୍ତୁଷ୍ଟ ନୁହନ୍ତି, ତେବେ ୧୫ ଦିନ ମଧ୍ୟରେ ଅପିଲ୍ କରିପାରିବେ। ଏଥିପାଇଁ ଟ୍ରାଇ ଡିଏନ୍ଡି (TRAI DND) ଆପ୍, ଟେଲିକମ୍ କମ୍ପାନୀର ପୋର୍ଟାଲ୍ କିମ୍ବା ୧୯୦୯ ନମ୍ବରରେ କଲ୍ କିମ୍ବା ଏସଏମଏସର ସୁବିଧା ରହିବ।
ନିୟମ-୬: ଅନଲାଇନ୍ ପଚରାଉଚରା ପରେ ୭ ଦିନ ପର୍ଯ୍ୟନ୍ତ କଲ୍ କରିପାରିବ କମ୍ପାନୀ
କୌଣସି ଗ୍ରାହକ ଅନଲାଇନ୍ରେ କୌଣସି ସାମଗ୍ରୀ କିମ୍ବା ସେବା ବିଷୟରେ ପଚରାଉଚରା କଲେ, କମ୍ପାନୀ ସର୍ବାଧିକ ୭ ଦିନ ପର୍ଯ୍ୟନ୍ତ ତାଙ୍କ ସହ ଯୋଗାଯୋଗ କରିପାରିବ। ଏଥିପାଇଁ କମ୍ପାନୀ ପାଖରେ ଗ୍ରାହକଙ୍କ ପଚରାଉଚରାର ଲିଖିତ କିମ୍ବା ଡିଜିଟାଲ୍ ରେକର୍ଡ ରହିବା ଆବଶ୍ୟକ। ଏହି ନିୟମ ବିଶେଷକରି ଇ-କମର୍ସ ଏବଂ ଅନଲାଇନ୍ ସେବା ପ୍ରଦାନକାରୀ କମ୍ପାନୀ ପାଇଁ ଗୁରୁତ୍ୱପୂର୍ଣ୍ଣ।
ନିୟମ-୭: ଭୁଲ୍ ମେସେଜରେ ୬ ଘଣ୍ଟାରେ ଆକ୍ସନ୍, ୧ ବର୍ଷ ବ୍ୟାନ୍
ଫେକ୍ ମେସେଜ୍, ଭୁଲ୍ ହେଡର୍ କିମ୍ବା ଅନୁମୋଦନ ନଥିବା ଟେମ୍ପଲେଟ୍ ବ୍ୟବହାର କଲେ ୬ ଘଣ୍ଟା ମଧ୍ୟରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ। ନିୟମ ଉଲ୍ଲଂଘନ କରୁଥିବା ଟେଲିମାର୍କେଟରଙ୍କ ଟେଲିକମ୍ କନେକ୍ସନ୍ ୧ ବର୍ଷ ପାଇଁ ବନ୍ଦ କରାଯାଇ ତାଙ୍କୁ ବ୍ଲାକ୍ଲିଷ୍ଟ କରାଯାଇପାରିବ।
ନିୟମ-୮: ଟ୍ରୁକଲର ଭଳି ଆପ୍ ଅଧିକୃତ ନମ୍ବରକୁ ସ୍ପାମ୍ କହି ବ୍ଲକ୍ କରିପାରିବେ ନାହିଁ
Truecaller ଭଳି ଆପ୍ଗୁଡ଼ିକ ସରକାରୀ କିମ୍ବା ଅଧିକୃତ କମ୍ପାନୀର ନମ୍ବରକୁ ଏକାଥରକେ ସ୍ପାମ୍ ଭାବେ ଚିହ୍ନଟ କରି ବ୍ଲକ୍ କରିପାରିବେ ନାହିଁ। ବିଶେଷକରି ୧୪୦xx, ୧୬୦୦xx ଓ ୧୬୦୧xx ସିରିଜ୍ର ଅଧିକୃତ ନମ୍ବର ଏଥିରେ ସାମିଲ।
ତେବେ କୌଣସି ଉପଭୋକ୍ତା ନିଜ ଫୋନରେ ବ୍ୟକ୍ତିଗତ ଭାବେ ଏହି ନମ୍ବରଗୁଡ଼ିକୁ ବ୍ଲକ୍ କରିବାକୁ ଚାହିଲେ, ସେହି ସୁବିଧା ବ୍ୟବହାର କରିପାରିବେ। ନୂଆ ନିୟମ ଲାଗୁ ହେବା ପରେ ସ୍ପାମ୍ କଲ୍, ରୋବୋକଲ୍ ଓ ଫେକ୍ କମର୍ସିଆଲ୍ ମେସେଜ୍ ବିରୋଧରେ ଅଧିକ ତ୍ୱରିତ ଏବଂ ଟେକ୍ନୋଲୋଜୀଭିତ୍ତିକ ନଜର ରଖିବା ବ୍ୟବସ୍ଥା ଗଠନ ହେବ ବୋଲି ଆଶା କରାଯାଉଛି।
