ଭାଗଲପୁରରେ ପୋଖରୀରେ ବୁଡ଼ି ୬ ଶିଶୁ ମୃତ

Pond

ବିହାର : ବିହାରର ଭାଗଲପୁର ଜିଲ୍ଲାରେ ପୋଖରୀରେ ବୁଡ଼ି ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଘଟଣାଟି ସୁଲତାନଗଞ୍ଜ ଥାନା ଅଞ୍ଚଳର ତରୈଟା ବହିଆର ଏକ ପୋଖରୀରେ ଘଟିଛି । ମୃତକଙ୍କ ମଧ୍ୟରେ ୩ ଜଣ ପୁଅ ଓ ୩ ଜଣ ଝିଅ ରହିଛନ୍ତି । ପୋଖରୀରେ ପିଲାମାନେ ଗାଧୋଉଥିବା ବେଳେ ଏଭଳି ଅଘଟଣ ଘଟିଛି । ଖବର ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ଦେଖାଦେଇଛି ।

ସୂଚନା ଅନୁସାରେ, କରମା-ଧରମା ପର୍ବ ଅବସରରେ ଏହି ଶିଶୁମାନେ ଏକାଠି ହୋଇ ପୋଖରୀରେ ଗାଧୋଇବାକୁ ଯାଇଥିଲେ । ସେମାନେ ପୋଖରୀରେ ଥିବା ସମୟରେ ହଠାତ୍ ଜଣେ ଶିଶୁ ଗଭୀର ପାଣିକୁ ଚାଲିଯାଇଥିଲେ । ତାଙ୍କୁ ବୁଡ଼ିଯାଉଥିବା ଦେଖି ଅନ୍ୟ ଶିଶୁମାନେ ତାଙ୍କୁ ବଞ୍ଚାଇବାକୁ ପାଣି ଭିତରକୁ ଯାଇଥିଲେ । ଏହାପରେ ଜଣକ ପରେ ଜଣେ ପାଣିରେ ବୁଡ଼ିଯାଇଥିବା ଜଣାପଡ଼ିଛି ।

ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ବହୁ ସଂଖ୍ୟାରେ ଗ୍ରାମବାସୀ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକେ ଉଦ୍ଧାର କରି ସମସ୍ତ ଶିଶୁଙ୍କୁ ପୋଖରୀରୁ ବାହାର କରିଥିଲେ। ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଉଦ୍ଧାର କରାଯାଇଥିବା ସମସ୍ତ ଶିଶୁଙ୍କୁ ତୁରନ୍ତ ରେଫରାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ପରୀକ୍ଷା କରି ସମସ୍ତ ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶିଶୁମାନଙ୍କ ପରିଚୟ ମିଳିଛି । ଜ୍ୟୋତି କୁମାରୀ, ମୀନାକ୍ଷୀ କୁମାରୀ, ଆୟୁଷ କୁମାର, ରାହୁଲ କୁମାର, ପୂଜା କୁମାରୀ ଏବଂ ବିକାଶ କୁମାର ଭାବେ ଜଣାପଡ଼ିଛି । ସମସ୍ତେ ବିଷ୍ଣୁ ଟୋଲା ଅଞ୍ଚଳର ବାସିନ୍ଦା ଏବଂ ଭିନ୍ନ ଭିନ୍ନ ପରିବାରର ବୋଲି ଜଣାପଡ଼ିଛି ।

Share