ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ପୁଣି ଥରେ ପ୍ରବଳ ବର୍ଷା ଯୋଗୁଁ ଚାରଧାମ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ତରଫରୁ ରେଡ ଆଲର୍ଟ ଜାରି କରିଛି । ଏହାକୁ ଦୃଷ୍ଟିରେ ରଖି ଚାରଧାମ ଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ଚମୋଲି ଜିଲ୍ଲାର ବଦ୍ରିନାଥ ଓ ହେମକୁଣ୍ଡ ସାହିବ ଅଞ୍ଚଳରେ ପ୍ରବଳ ବରଫପାତ ପରେ ପ୍ରଶାସନ ପକ୍ଷରୁ ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ଚାରଧାମ ଯାତ୍ରାରେ ଅସ୍ଥାୟୀ ରୋକ ଲଗାଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନଜରରେ ରଖି ଗଡ଼ୱାଲ କମିଶନର ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ସହିତ କେଦାରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବାକୁ ମଧ୍ୟ ସାମୟିକ ଭାବେ ବନ୍ଦ ରଖାଯାଇଛି । ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି ।
ଚାରଧାମ ଯାତ୍ରା ସମ୍ପର୍କରେ ଗଡ଼ୱାଲ କମିଶନରଙ୍କ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ଯେ, ରେଡ୍ ଆଲର୍ଟର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁରକ୍ଷା ପାଇଁ ସେପ୍ଟେମ୍ବର ୨୬ ତାରିଖ ଅପରାହ୍ଣରୁ ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ଚାରଧାମ ଯାତ୍ରା ସ୍ଥଗିତ ରହିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ନୋଟିସରେ ସମସ୍ତ ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କୁ ପାଣିପାଗ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଯାତ୍ରା ନକରିବାକୁ ଅପିଲ୍ କରାଯାଇଛି । ଏଥିସହ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶ ପାଳନ କରି ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି । ପାଣିପାଗ ସ୍ୱାଭାବିକ ହେବା ପରେ ଯାତ୍ରା ପୁଣି ଆରମ୍ଭ କରିବା ସମ୍ପର୍କରେ ଆବଶ୍ୟକ ସୂଚନା ଜାରି କରାଯିବ ।
ପାଣିପାଗ ବିଭାଗ ପକ୍ଷରୁ ଡେରାଡୁନ, ଟିହରି, ହରିଦ୍ୱାର ଓ ପୌଡ଼ି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । ବଦ୍ରିନାଥ ଧାମ, ହେମକୁଣ୍ଡ ସାହିବ ସମେତ ଭାରତ-ଚୀନ ସୀମା ନିକଟରେ ଥିବା ବିଭିନ୍ନ ସୁରକ୍ଷା ଛକ ଅଞ୍ଚଳରେ ମଧ୍ୟ ବରଫପାତ ହୋଇଛି । ତେଣୁ ପ୍ରଶାସନ ପକ୍ଷରୁ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ପାଣିପାଗର ସ୍ଥିତି ଉପରେ ନିରନ୍ତର ନଜର ରଖିଛି। ପାଣିପାଗ ସ୍ୱାଭାବିକ ହେବା ପରେ ହେଲିକପ୍ଟର ସେବା ପୁଣି ଆରମ୍ଭ କରାଯିବ ।
