Image 1708328065 (1)

ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ କେନ୍ଦ୍ରମନ୍ତ୍ରୀମାନଙ୍କ ସହ କୃଷକମାନଙ୍କ ଆଲୋଚନା ସକାରତ୍ମକ ହୋଇଛି। ଏହି ଆଲୋଚନା ପରେ କୃଷକ ଆନ୍ଦୋଳନ ସାମାନ୍ୟ ଶାନ୍ତ ହୋଇଛି। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ଉପରେ ଗ୍ୟାରେଣ୍ଟି ଦାବି ନେଇ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଗତକାଲି ହୋଇଥିବା ଆଲୋଚନା ପରେ କେନ୍ଦ୍ର ସରକାର ୪ଟି ଫସଲ ଉପରେ MSP ଲାଗି ଗ୍ୟାରେଣ୍ଟି ଦେବାକୁ ରାଜି ହୋଇଥିବା ଜଣାପଡିଛି।

୫ ବର୍ଷ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟରେ ସରକାରୀ ଏଜେନ୍ସୀ ଉତ୍ପାଦ କିଣିବେ ବୋଲି ଚାଷୀମାନଙ୍କୁ ପ୍ରସ୍ତାବ ଦିଆଯାଇଛି। କିଛି ଡାଲି ଜାତୀୟ ଫସଲ ଏବଂ ମକା ଉପରେ MSP ଲାଗି ଗ୍ୟାରେଣ୍ଟି ଦେବାକୁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରଖାଯାଇଛି।

ଗତକାଲି ରାତିରେ କେନ୍ଦ୍ରମନ୍ତ୍ରୀମାନଙ୍କ ଏକ ଟିମ୍ କୃଷକ ନେତାମାନଙ୍କ ସହ ଚଣ୍ଡିଗଡ଼ରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା କରିଥିଲେ। ଦୁଇ ଦିନ ଭିତରେ ସରକାରଙ୍କ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଏହାପୂର୍ବରୁ ଗତ ୮, ୧୨ ଏବଂ ୧୫ ତାରିଖରେ କୃଷକ ନେତାମାନଙ୍କ ସହ କେନ୍ଦ୍ରମନ୍ତ୍ରୀମାନଙ୍କର ୩ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ହେଁ କୌଣସି ନିଷ୍କର୍ଷ ବାହାରି ପାରି ନ ଥିଲା।

Share