IMG 20260706 WA0093

ଭୁବନେଶ୍ୱର: ଗତ ନିର୍ବାଚନରେ ଆପଣ ଭୋଟ୍ ଦେଇଥିଲେ କି? ଯଦି ହଁ, ତେବେ ନିଶ୍ଚିନ୍ତ ହୋଇ ବସି ରୁହନ୍ତୁ ନାହିଁ। କାରଣ ଆଗାମୀ ଦିନରେ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ନୂଆ ଭୋଟର ତାଲିକାରେ ଆପଣଙ୍କ ନାମ ନଥାଇ ମଧ୍ୟ ପାରେ! ୨୦୨୬ ମସିହା ନିମନ୍ତେ ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision ବା SIR) ପ୍ରକ୍ରିୟା ଆଧାରରେ ଡ୍ରାଫ୍ଟ ଇଲେକ୍ଟୋରାଲ୍ ରୋଲ୍ ପ୍ରକାଶ ପାଇଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପ୍ରକ୍ରିୟାରେ ରାଜ୍ୟରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ନାମ ଭୋଟର ତାଲିକାରୁ କାଟି ଦିଆଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ତେଣୁ ନିଜ ମତଦାନ ସାବ୍ୟସ୍ତ କରିବା ପାଇଁ ଏବେଠାରୁ ସତର୍କ ହେବା ଜରୁରୀ ହୋଇପଡିଛି।

ପୂର୍ବରୁ ଭୋଟ୍ ଦେଇଥିବା ଏବଂ ନଦେଇଥିବା, ଉଭୟ ବର୍ଗର ଭୋଟରମାନେ ନୂଆ ତାଲିକାରେ ସେମାନଙ୍କ ନାମ ଅଛି କି ନାହିଁ ତାହା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। କାରଣ ସଂଶୋଧନ ପ୍ରକ୍ରିୟା ବେଳେ ଅନେକ ନାମ ଅଦଳବଦଳ ହେବାର ସମ୍ଭାବନା ରହିଛି।

ଆପଣ ଘରେ ବସି କିମ୍ବା ନିଜ ଅଞ୍ଚଳର ଅଧିକାରୀଙ୍କୁ ଭେଟି ଏହି ତଥ୍ୟ ପାଇପାରିବେ:ବିଏଲ୍‌ଓଙ୍କୁ ଯୋଗାଯୋଗ କରନ୍ତୁ: ନିଜ ଅଞ୍ଚଳର ବୁଥ୍ ଲେଭେଲ୍ ଅଫିସରଙ୍କୁ ଭେଟି ଆପଣଙ୍କ ନାମ ଚିଠା ତାଲିକାରେ ଅଛି କି ନାହିଁ ସ୍ପଷ୍ଟ ହୁଅନ୍ତୁ।

ମୋବାଇଲ୍ ଆପ୍: ଭାରତୀୟ ନିର୍ବାଚନ କମିଶନଙ୍କ ଅଫିସିଆଲ୍ ‘Voter Helpline’ ମୋବାଇଲ୍ ଆପ୍ ଜରିଆରେ ନିଜ ଷ୍ଟାଟସ୍ ଚେକ୍ କରନ୍ତୁ।

ଅନଲାଇନ୍ ପୋର୍ଟାଲ୍: ECI ର ଭୋଟର ସେବା ପୋର୍ଟାଲ୍ ‘voters.eci.gov.in’ କୁ ଯାଇ ନିଜର ବିବରଣୀ ଦେଖିପାରିବେ। ରାଜ୍ୟ ପୋର୍ଟାଲ୍: ଓଡ଼ିଶାର ଭୋଟରମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍ ‘ceoodisha.nic.in’ ରେ ମଧ୍ୟ ଏହି ଡ୍ରାଫ୍ଟ ରୋଲ୍ ଯାଞ୍ଚ କରିପାରିବେ।

ଯଦି ଖୋଜିବା ପରେ ଡ୍ରାଫ୍ଟ ତାଲିକାରେ ଆପଣଙ୍କ ନାମ ମିଳୁନାହିଁ, ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି: ନୂଆ ନାମ ଯୋଡିବାକୁ: ଦେଶରେ ରହୁଥିବା ସାଧାରଣ ନାଗରିକମାନେ ଫର୍ମ-୬ (Form 6) ପୂରଣ କରି ନିଜ BLOଙ୍କ ନିକଟରେ ଦାଖଲ କରିବେ। ସଂଶୋଧିତ ନିୟମ ଅନୁଯାୟୀ, ଏହା ସହିତ ‘ଆନେକ୍ସର୍ ୪’ (ଡିକ୍ଲାରେସନ୍ ଫର୍ମ) ପୂରଣ କରି ଦେବା ବାଧ୍ୟତାମୂଳକ।

ପ୍ରବାସୀ ଭାରତୀୟ (NRI)ଙ୍କ ପାଇଁ: ବିଦେଶରେ ରହୁଥିବା ଭାରତୀୟମାନେ ନାମ ପଞ୍ଜିକରଣ ପାଇଁ ଫର୍ମ-୬ଏ (Form 6A) ଦାଖଲ କରିବେ।

ନାମ କାଟିବାକୁ ବା ଆପତ୍ତି ଜଣାଇବାକୁ: ଯଦି ତାଲିକାରେ କୌଣସି ଭୁଲ୍ ବ୍ୟକ୍ତିଙ୍କ ନାମ ଥାଏ କିମ୍ବା ନାମ ହଟାଇବାକୁ ଚାହୁଁଥାନ୍ତି, ତେବେ ଫର୍ମ-୭ (Form 7) ପୂରଣ କରି ଦେଇପାରିବେ।

ଏହି ସମସ୍ତ ଫର୍ମକୁ ଆପଣ ଉଭୟ ଅଫଲାଇନ୍ (BLOଙ୍କ ପାଖରେ) ଏବଂ ଅନଲାଇନ୍ (ECI ପୋର୍ଟାଲ୍) ମାଧ୍ୟମରେ ଦାଖଲ କରିପାରିବେ। ଶେଷ ମୁହୂର୍ତ୍ତର ଭିଡ଼ରୁ ରକ୍ଷା ପାଇବା ପାଇଁ ଏବେ ହିଁ ନିଜର ନାମ ଯାଞ୍ଚ କରିନେବା ବୁଦ୍ଧିମାନର କାମ।

Share