Image 1726661844

ଭାରତର ମହାକାଶ ଅନ୍ୱେଷଣ ଅଭିଯାନକୁ ଆଉ ଏକ ଲମ୍ବଡିଆଁ ଦେଇ ଭାରତ ସରକାର ପୃଥିବୀର ନିକଟତର ଗ୍ରହ ଶୁକ୍ର ପ୍ରଦକ୍ଷିଣ ଅଭିଯାନ ବା ଭେନସ୍‌ ଅର୍‌ବିଟର୍‌ ମିଶନ (ଭୋମ)କୁ ମଂଜୁରୀ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଏ ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି।

ଏହି ଅଭିଯାନରେ ଭାରତର ଏକ ବୈଜ୍ଞାନିକ ଯାନ ପୃଥିବୀର ପଡ଼ୋଶୀ ଶୁକ୍ର ଗ୍ରହ ଚାରିପଟେ ପ୍ରଦକ୍ଷିଣ କରିବ। ଏହି ଯାନ ଶୁକ୍ର ଗ୍ରହର ପୃଷ୍ଠ, ପୃଷ୍ଠତଳ, ବାୟୁମଣ୍ଡଳ, ଏହା ଉପରେ ସୂର୍ଯ୍ୟଙ୍କ ପ୍ରଭାବ ଆଦି ସଂପର୍କରେ ଅନୁସନ୍ଧାନ କରିବ।

ଭାରତର ମହାକାଶ ମନ୍ତ୍ରଣାଳୟ ତରଫରୁ ଏହି ଅଭିଯାନ ଆରମ୍ଭ ହେବ। ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ୨୦୨୮ ମାର୍ଚ୍ଚ ମାସରେ ଶୁକ୍ରଯାନ ମହାକାଶକୁ ଉତ୍‌କ୍ଷେପିତ ହେବ। ଏହି ଅଭିଯାନରେ ମୋଟ ୧୨୩୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରୁ ୮୨୪ କୋଟି ଟଙ୍କା ଶୁକ୍ର ପ୍ରଦକ୍ଷିଣ ପାଇଁ ଯାନ ତିଆରିରେ ଖର୍ଚ୍ଚ ହେବ। ଭାରତର ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ଏହି ଯାନ ତିଆରି ଓ ଉତକ୍ଷପେଣର ଦାୟିତ୍ୱ ନେବ।

ଏଯାବତ ଜଣାଥିବା ତଥ୍ୟ ଅନୁସାରେ ଏକଦା ଶୁକ୍ର ଜୀବଜଗତ ପାଇଁ ବାସୋପଯୋଗୀ ଥିଲା। ମାତ୍ର, ଇତିମଧ୍ୟରେ ଏଥିରେ ଅନେକ କିଛି ପରିବର୍ତ୍ତନ ଘଟିଛି। ଏହାକୁ ପୃଥିବୀ ଯାଆଁଳା ଭାଇ କୁହାଯାଏ। କାରଣ ଏହା ପୃଥିବୀର ସବୁଠୁ ନିକଟତର ଗ୍ରହ। ଶୁକ୍ର ସଂପର୍କରେ ଅନୁସନ୍ଧାନରୁ ଅନେକ ଉପାଦେୟ ତଥ୍ୟ ମିଳିବାର ସମ୍ଭାବନା ରହିଛି। ଗ୍ରହଗୁଡ଼ିକର ସୃଷ୍ଟି, ପୃଥିବୀ ଓ ଶୁକ୍ରର ବିକାଶ ସଂପର୍କରେ ମିଳିବାକୁ ଥିବା ତଥ୍ୟ ସବୁ ବିଜ୍ଞାନ ଜଗତରେ ପ୍ରସାରିତ ହେବ। ଏହା ମଣିଷ ସମାଜ ପାଇଁ ଏକ ନୂଆ ପ୍ରଗତି ଆଣିବ।

ଏହା ବ୍ୟତିତ ଏହି ପ୍ରକଳ୍ପ ଜରିଆରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶୁକ୍ରଯାନ ଓ ଏହାର ଉତକ୍ଷେପଣ ଯାନ ତିଆରି ପାଇଁ ବହୁ ଶିଳ୍ପ ସଂସ୍ଥାଙ୍କ ସଂପୃକ୍ତି ଆବଶ୍ୟକ। ଏଥିପାଇଁ ମଧ୍ୟ ଅନେକ ଗବେଷଣା ସଂସ୍ଥାର ସହଯୋଗ ଦରକାର। ବିଜ୍ଞାନ ଓ ପ୍ରଯୁକ୍ତିର ଛାତ୍ର ଓ ଗବେଷକଙ୍କ ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ।

ପୂର୍ବରୁ ଭାରତ ଚନ୍ଦ୍ର ଓ ମଙ୍ଗଳକୁ ଯାନ ପଠାଇ ସାରିଛି। ଶୁକ୍ର ପ୍ରଦକ୍ଷିଣ ଅଭିଯାନ ସଫଳ ହେଲେ ଭାରତ ବିଶ୍ୱର ଏକ ସମ୍ଭ୍ରାନ୍ତ ବର୍ଗରେ ସ୍ଥାନ ପାଇବ।

Share