ଇରାନ ଓ ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇସ୍ରାଏଲକୁ କଡା ଚେତାବନୀ ଦେଇଛି ରୁଷ । ଉଭୟ ଦେଶ ପରସ୍ପର ଉପରେ କ୍ଷେପଣାସ୍ତ୍ର ମାଡ କରିବାରେ ଲାଗିଛନ୍ତି, ଏହି ସମୟରେ ରୁଷ ଇରାନକୁ ଖୋଲାଖୋଲି ଭାବରେ ସମର୍ଥନ କରିଛି । ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ଲକ୍ଷ୍ୟ ଇରାନରେ ଶାସନ କରିବା ନୁହେଁ, ହେଲେ ଯେଭଳି ପରିସ୍ଥିତି ଉପୁଜିଛି ଏହା ସମ୍ଭବ ହୋଇପାରେ । ସେପଟେ ଇରାନରେ ଶାସନ ପରିବର୍ତ୍ତନ ଗ୍ରହଣୀୟ ନୁହେଁ ବୋଲି ବର୍ଣ୍ଣନା କରିଛି ରୁଷ ।
ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ଇରାନରେ ଶାସନ ପରିବର୍ତ୍ତନ ପାଇଁ ବର୍ତ୍ତମାନ କୌଣସି ଯୋଜନା ନାହିଁ । କିନ୍ତୁ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଖୋଲାଖୋଲି କହିଛନ୍ତି ଯେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମନେଇଙ୍କୁ ଆଉ ବଞ୍ଚିବାକୁ ଦିଆଯିବନାହିଁ । ସେ ଦାବି କରିଛନ୍ତି ଯେ ଇସ୍ରାଏଲର ହସ୍ପିଟାଲରେ କ୍ଷେପଣାସ୍ତ୍ର ଆକ୍ରମଣ ପଛରେ ଖାମନେଇ ଥିଲେ । ଯେଉଁଥିରେ ୧୨ଜଣରୁ ଅଧିକ ଲୋକ ଆହତ ହୋଇଥିଲେ ।
ଏସବୁ ଭିତରେ ରୁଷ ଏହି ସମ୍ପୂର୍ଣ୍ଣ ଘଟଣା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ଗଣମାଧ୍ୟମରେ କହିଛନ୍ତି ଯେ ଇରାନରେ କ୍ଷମତା ପରିବର୍ତ୍ତନର ଆଲୋଚନା କରିବା ହିଁ ଜରୁରୀ ନୁହେଁ । ଯଦି କେହି ଖାମନେଇଙ୍କୁ ହତ୍ୟା କରିବାକୁ ଭାବୁଛନ୍ତି, ତେବେ ବୁଝିବା ଜରୁରୀ ଯେ ସେ ପାଣ୍ଡୋରା ବାକ୍ସ ଖୋଲୁଛନ୍ତି । ପାଣ୍ଡୋରା ବାକ୍ସ ଏକ ଉକ୍ତି ଯାହା ଗ୍ରୀକ୍ ପୌରାଣିକ କାହାଣୀରୁ ଆସିଛି । ଏହାର ଅର୍ଥ ହେଉଛି- ଏହା ଏପରି ଏକ ନିଷ୍ପତ୍ତି ଯାହା ଥରେ ନିଆଗଲେ, ପରେ କୌଣସି ବିରତି ବିନା ଅନେକ ଅସୁବିଧା ଏବଂ ସମସ୍ୟା ଉପୁଜିଥାଏ । ସେ କହିଛନ୍ତି ଇରାନରେ କ୍ଷମତା ପରିବର୍ତ୍ତନ ଅକଳ୍ପନୀୟ । ଏହା ଅଗ୍ରାହ୍ୟ ହେବା ଉଚିତ, ଏହା ବିଷୟରେ କଥାବାର୍ତ୍ତା କରିବା ମଧ୍ୟ ମୁର୍ଖାମି ।
ରୁଷ ପ୍ରବକ୍ତା ଚେତାବନୀ ଦେଇ କହିଛନ୍ତି ଯେ ଯଦି ଏହା ହୁଏ, ତେବେ ଇରାନ ଭିତରୁ ଏକ ପ୍ରତିକ୍ରିୟା ଆସିବ, ଯାହା ବହୁତ ଭୟଙ୍କର ହେବ । ଏହା ଇରାନରେ ଉଗ୍ରବାଦୀ ଭାବନା ସୃଷ୍ଟି କରିବ ଏବଂ ଯେଉଁମାନେ ଖାମନେଇଙ୍କୁ ହତ୍ୟା କରିବା କଥା ଚେତାବନୀ ଦେଉଛନ୍ତି ସେମାନେ ଏହା ମନେ ରଖିବା ଉଚିତ । ରୁଷ ଏବଂ ଇରାନ ମଧ୍ୟରେ ଦୀର୍ଘକାଳୀନ ସାମରିକ ଏବଂ କୂଟନୈତିକ ସମ୍ପର୍କ ରହିଛି । ଯାହାକି ୟୁକ୍ରେନ ଯୁଦ୍ଧ ପରେ ଆହୁରି ମଜଭୁତ ହୋଇଛି ।