ଜୟପୁର : ବାଲେଶ୍ଵର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅକାଳ ବିୟୋଗରେ ଜୟପୁର ସହର ସ୍ତବ୍ଧ ହୋଇଯାଇଛି । ତାଙ୍କୁ ନ୍ୟାୟ ଦେବା ଦାବିରେ ବୁଧବାର ସନ୍ଧ୍ୟାରେ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ଜୟପୁର ମହାବିଦ୍ୟାଳୟର ଛାତ୍ରୀ, ସାଧାରଣ ଜନତା ଏବଂ ବିଭିନ୍ନ ସଂଗଠନ ସାମିଲ ହୋଇ ସୈମ୍ୟାଶ୍ରୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ସୂଚନା ଅନୁସାରେ, ତାରିଖ ୧୬/୭/୨୫ ଦିନ ସନ୍ଧ୍ୟା ୬ଟା ସମୟରେ ଜୟପୁର ମୁଖ୍ୟ ଟ୍ରାଫିକ ଛକରୁ ଏହି କ୍ୟାଣ୍ଡେଲ ମାର୍ଚ୍ଚ ବାହାରିଥିଲା । AIMSS (ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ) ଓ AIDSO (ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଛାତ୍ର ସଂଗଠନ)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ ଛାତ୍ରୀ ଓ ସାଧାରଣ ଲୋକେ ଯୋଗ ଦେଇଥିଲେ । ଶୋଭାଯାତ୍ରାଟି ସହର ପରିକ୍ରମା କରି ରାଜାନଗର ଠାରେ ପହଞ୍ଚିଥିଲା । ସେଠାରେ ” ସୌମ୍ୟାଶ୍ରୀଙ୍କ ଆତ୍ମା ଅମର ରହୁ” ଏବଂ “ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦିଆଯାଉ” ଭଳି ସ୍ଲୋଗାନ ଦିଆଯାଇଥିଲା |

ପ୍ରତିବାଦକାରୀମାନେ ସୈମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ ।
ସୂଚନାଯୋଗ୍ୟ ଯେ, ବାଲେଶ୍ଵରର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ୨୦ ବର୍ଷୀୟା ବି.ଏଡ୍ ଛାତ୍ରୀ ସୈମ୍ୟାଶ୍ରୀ ବିଶି ଜଣେ ପ୍ରଫେସରଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ କଲେଜ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ କଲେଜ ପରିସରରେ ଆତ୍ମାହୁତି ଦେଇଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ସମଗ୍ର ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଏବଂ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ମାମଲାରେ ପୋଲିସ ଅଭିଯୁକ୍ତ ପ୍ରଫେସର ଏବଂ କଲେଜର ପ୍ରିନ୍ସିପାଲଙ୍କୁ ଗିରଫ କରିଛି ।

