Untitled 1 copy

କଟକ (ନିରଞ୍ଜନ ପଟ୍ଟନାୟକ) : ବାଲେଶ୍ଵର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ  ସୌମ୍ୟାଶ୍ରୀ ବିଶିଙ୍କ ଅକାଳ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ପ୍ରତିବାଦର ନିଆଁ ଜଳୁଛି। ତାଙ୍କୁ ନ୍ୟାୟ ଦେବା ଦାବିରେ ଗତକାଲି କଂଗ୍ରେସ ଓ ଅନ୍ୟ ସହଯୋଗୀ ଦଳ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ସାଧାରଣରେ ସମର୍ଥନ ମିଳିଥିଲା।  ତେବେ ବନ୍ଦ ପାଳନ ସମୟରେ କିଛି ସ୍ଥାନରେ ରାଜନୈତିକ ଦଳର କର୍ମୀଙ୍କ ଜବରଦସ୍ତ ରାସ୍ତାରୋକ ଓ ପିକେଟିଂ ଯୋଗୁଁ ସାଧାରଣ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା, ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୈମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବନ୍ଦ ଡାକରାକୁ ଜନସାଧାରଣ ସ୍ୱତଃପ୍ରବୃତ୍ତ ଭାବେ ସମର୍ଥନ ଜଣାଇ ଦୋକାନ ବଜାର ଓ ଗାଡ଼ିମୋଟର ଚଳାଚଳ ବନ୍ଦ ରଖିଥିଲେ। ତେବେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସାକ୍ଷୀଗୋପାଳ ଠାରେ ପରିସ୍ଥିତି ଭିନ୍ନ ଥିଲା।

ପୁରୀରୁ ଫେରୁଥିବା ଅନେକ ଯାତ୍ରୀ ଏବଂ ସାଧାରଣ ଲୋକ ସାକ୍ଷୀଗୋପାଳରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲେ। ବନ୍ଦ ପାଳନ କରୁଥିବା କଂଗ୍ରେସ ଓ ଅନ୍ୟ ଦଳର କର୍ମୀମାନେ ରାସ୍ତା ଅବରୋଧ କରି ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ। ଏପରିକି ଆମ୍ବୁଲାନ୍ସ ଓ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ିକୁ ମଧ୍ୟ ଛଡା ଯାଇନଥିବା ଅଭିଯୋଗ ହୋଇଛି। ଫଳରେ ଛୋଟ ପିଲା, ମହିଳା ଓ ବୟସ୍କ ଯାତ୍ରୀମାନେ ଖରା ଓ ଗୁଳୁଗୁଳିରେ ଅସହ୍ୟ ଯନ୍ତ୍ରଣା ଭୋଗିଥିଲେ। ପାଣି ଟୋପାଏ ପାଇଁ ମଧ୍ୟ ଲୋକେ ହନ୍ତସନ୍ତ ହୋଇଥିଲେ, କାରଣ ଆଖପାଖର ସମସ୍ତ ଦୋକାନ ବନ୍ଦ ଥିଲା।

“ଆମେ ସୌମ୍ୟାଶ୍ରୀ ଙ୍କୁ ନ୍ୟାୟ ମିଳୁ ବୋଲି ଚାହୁଁଛୁ, କିନ୍ତୁ ଏଭଳି ଭାବେ ଲୋକଙ୍କୁ ହଇରାଣ କରିବା କେତେଦୂର ଯୁକ୍ତିଯୁକ୍ତ?” ବୋଲି ଜଣେ ଅଟକି ରହିଥିବା ଯାତ୍ରୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ, ନ୍ୟାୟ ପାଇଁ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହେବା ଉଚିତ, ଜନସାଧାରଣଙ୍କୁ ବନ୍ଧକ ରଖି ନୁହେଁ।

ଏହି ଘଟଣାକୁ ନେଇ ସାଧାରଣରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି। ସୌମ୍ୟାଶ୍ରୀ ଙ୍କ ପାଇଁ ଲୋକଙ୍କ ମନରେ ସମବେଦନା ଥିଲେ ମଧ୍ୟ ରାଜନୈତିକ ଦଳଗୁଡ଼ିକର ଏଭଳି “ଜବରଦସ୍ତ” ବନ୍ଦ ପାଳନ ଶୈଳୀକୁ ଅନେକେ ନାପସନ୍ଦ କରିଛନ୍ତି। ଏହି ବନ୍ଦ ପାଳନ ସମୟରେ ସୁବର୍ଣ୍ଣପୁର, ନୟାଗଡ଼, ମୁରିବାହାଲ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦୋକାନ ବଜାର, ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା।

Share