ଗତ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଅଞ୍ଚଳରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ପୂର୍ବ ଉପକଣ୍ଠର ଭିକ୍ରୋଲିରେ ସର୍ବାଧିକ  ବର୍ଷା ହୋଇଥିବା ବେଳେ ଏହା ପଛକୁ ବାଇକୁଲା,  ଜୁହୁ,  ଓ ବାନ୍ଦ୍ରାରେ  ମଧ୍ୟ ପ୍ରାୟ ୩ ଶହ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମହାଲକ୍ଷ୍ମୀରେ ସର୍ବନିମ୍ନ ୭୨.୫ ମିଲିମିଟର ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ବିମାନବନ୍ଦରରେ ଅତି କମ୍‌ରେ ୮ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା ଏବଂ ପ୍ରାୟ ୪୦୦ ବିମାନ ବିଳମ୍ବିତ ହୋଇଥିଲା। ଅନେକ ବିମାନର ଉଡ଼ାଣ ମଧ୍ୟ ରଦ୍ଧ କରାଯାଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି  ବିଭିନ୍ନ ଟ୍ରାଫ୍ରିକ୍‌ ସତର୍କତା ଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ଧେରୀ, ବୋରିଭାଲି, ଚେମ୍ବୁର, ସିଓନ, ଦାଦର ଓ ମାଟୁଙ୍ଗା ସମେତ ସମଗ୍ର ସହରରେ ଅନେକ ଅଞ୍ଚଳ ଜଳବନ୍ଦୀ ହେବା ଫଳରେ ଯାତାୟତ ଓ ସାଧାରଣ ପରିବହନ ବାଧାପ୍ରାପ୍ତ ହୋଇଛି। ଇଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇୱେ, ଇଷ୍ଟର୍ଣ୍ଣ ଫ୍ରି-ୱେ ଓ ମୁମ୍ବାଇ-ଗୁଜରାଟ ରାଜପଥ ଭଳି ପ୍ରମୁଖ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଦିନ ତମାମ ବର୍ଷା ଲାଗି ରହିଥିବା ବେଳେ ଆସନ୍ତାକାଲି ମଧ୍ୟ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା  ରହିଛି। ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।