ସାଇବର ଅପରାଧ ରୋକିବା କ୍ଷେତ୍ରରେ ଓଡିଶା ପୋଲିସକୁ ପ୍ରଶଂସାକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ଏବଂ ସାଇବର ହେଲ୍ପଲାଇନ୍ ୧୯୩୦ ମାଧ୍ୟମରେ ହଜାର ହଜାର ଅଭିଯୋଗକାରୀଙ୍କୁ ସଠିକ୍ ସମୟରେ ସହାୟତା ପ୍ରଦାନ କରାଯାଇଛି । ସାଇବର ଅପରାଧକୁ ପ୍ରତିରୋଧ କରିବା ପାଇଁ ରାଜ୍ୟରେ ଖୁବଶୀଘ୍ର ଆଉ ୨୦ଟି ନୂତନ ସାଇବର ଅପରାଧ ପୋଲିସ୍ ଷ୍ଟେସନ କାର୍ଯ୍ୟକ୍ଷମ ହେବ । ଏହା ସହ ପୂର୍ବରୁ ଥିବା ୧୪ଟି ସାଇବର ପୋଲିସ୍ ଷ୍ଟେସନର ଆଧୁନିକୀକରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ଏ କ୍ଷେତ୍ର ପାଇଁ ୧୧୨୭ଟି ନୂତନ ପୋଲିସ ପଦବୀ ସହିତ ୧୭୦ ଟେକ୍ନିକାଲ ଏକ୍ସପର୍ଟଙ୍କୁ ଖୁବଶୀଘ୍ର ନିଯୁକ୍ତି ଦିଆଯିବ । ଏଥି ସହିତ କ୍ରାଇମବ୍ରାଞ୍ଚ ଅଧୀନରେ ଏକ ରାଜ୍ୟସ୍ତରୀୟ କମାଣ୍ଡ ସେଣ୍ଟର ଗଠନ କରାଯିବ ଏବଂ ଏହି ସେଣ୍ଟରଟି ସାଇବର ଅପରାଧ ରୋକିବା କ୍ଷେତ୍ରରେ ସେଣ୍ଟର ଅଫ୍ ଏକ୍ସେଲେନ୍ସ ଭାବରେ କାର୍ଯ୍ୟ କରିବ ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । କିନ୍ତୁ, ଅଧିକାଂଶ ସାଇବର ଠକାମୀର ପ୍ରମୁଖ କାରଣ ହେଉଛି ସଚେତନତାର ଅଭାବ । ଏଥିପାଇଁ ଅନଲାଇନ, ଡିଜିଟାଲ ଓ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ସତର୍କ ରହିବାକୁ ପଡିବ, ସଚେତନ ହେବାକୁ ପଡିବ । ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଓଡିଶା ପୋଲିସ ପକ୍ଷରୁ ଆଜିଠାରୁ ଏହି ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ସାଇବର ଠକେଇର ବିଭିନ୍ନ ଦିଗ ଉପରେ ଲୋକଙ୍କୁ ସଚେତନ କରାଯିବ । ସେଥିପାଇଁ ଏହି ଅଭିଯାନରେ ସମସ୍ତେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ । ମୁଖ୍ୟମନ୍ତ୍ରୀ ଇଣ୍ଟରନେଟ୍ ଜରିଆରେ ଝିଅ ମାନଙ୍କୁ ବ୍ଲାକମେଲିଙ୍ଗ ଓ ମାନସିକ ନିର୍ଯ୍ୟାତନା ଉପରେ କ୍ଷୋଭ ପ୍ରକାଶ କରି ଓଡିଶା ପୋଲିସକୁ ଏହି ମାନସିକତା ରଖୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପଦକ୍ଷେପ ନନେଲେ ସମ୍ପୃକ୍ତ ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ୧୬ଟି ସଚେତନତା ରଥକୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଗୁଡିକ ନୂଆପଡା ଜିଲ୍ଲାକୁ ଛାଡି ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ଏକ ମାସ ଧରି ଲୋକଙ୍କୁ ସଚେତନ କରାଇବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅତିଥି, ସରକାରୀ ଅଧିକାରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ସାଇବର ସୁରକ୍ଷା ସମ୍ପର୍କିତ ଏକ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଓଡିଶା ପୋଲିସକୁ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଦେଇ କହିଥିଲେ ଯେ, ସାଇବର ସୁରକ୍ଷା ବିଷୟରେ ସମସ୍ତେ ସଚେତନ ହେବା ଅତ୍ୟନ୍ତ ଜରୁରୀ । ଏହି ସଚେତନତା କାର୍ଯ୍ୟକ୍ରମ କେବଳ ଗୋଟିଏ ବିଭାଗର କାର୍ଯ୍ୟକ୍ରମରେ ସୀମିତ ନରଖି ଏହି ଆଭିମୁଖ୍ୟକୁ ସମସ୍ତେ ଆପଣେଇବା ଉଚିତ୍ ।
ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରି ସାଇବର ଅପରାଧ କ୍ଷେତ୍ରରେ ଓଡିଶା ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଓ ସଫଳତା ବିଷୟରେ ଉଲ୍ଲେଖ କରିଥିଲେ । କ୍ରାଇମବ୍ରାଞ୍ଚ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

