ଜମ୍ମୁ କଶ୍ମୀର : ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା। ରାମନଗର ସହରରୁ ଜମ୍ମୁର ଉଧମପୁର ଯାଉଥିବା ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ପାହାଡ଼ ତଳକୁ ଖସିପଡିବାରୁ ୨୧ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଘଟଣାରେ ୬୧ ଜଣ ଆହତ ହୋଇଛନ୍ତି । ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସଟି ଓଲଟି ପଡ଼ି ପାହାଡ଼ ତଳକୁ ଖସି ପଡ଼ିଲା । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୁରୁତରମାନଙ୍କୁ ଏୟାରଲିଫ୍ଟ କରିବା ପାଇଁ ବ୍ୟବସ୍ଥା କରାଯାଉଛି ।
ସୂଚନାନୁଯାୟୀ, ବସ୍ ଟି ରାମନଗରରୁ ଉଧମପୁର ଅଭିମୁଖେ ଯାଉଥିଲା । ତେବେ ହାଇୱେରେ ଥିବା କାନୋଟେ ଗ୍ରାମ ନିକଟରେ ଚାଳକ ବସ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ, ଯାହାଫଳରେ ଗାଡ଼ିଟି ସିଧା ପାହାଡ଼ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା ।
ତେବେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିଜନ ଏବଂ ଆହତଙ୍କୁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ଫାଣ୍ଠିରୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ଏହାସହିତ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଗଭୀର ସମବେଦନା ବ୍ୟକ୍ତ କରିବା ସହିତ ଆହତଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି ।
ଜମ୍ମୁ କଶ୍ମୀର ଲେଫନାଣ୍ଟ ମନୋଜ ସିହ୍ନା ଦୁଃଖ ପ୍ରକାଶ କରିଛନ୍ତି । ଉଦ୍ଧମପୁରରେ ହୋଇଥିବା ଦୁଃଖଦ ସଡ଼କ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇଦେଇଛି । ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା । ଈଶ୍ବର ସମସ୍ତଙ୍କୁ ଶକ୍ତି ପ୍ରଦାନ କରନ୍ତୁ । ଆହତଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, “ମୁଁ ସ୍ଥାନୀୟ ପ୍ରଶାସନ ଏବଂ ଶ୍ରୀ ରାଜିନ୍ଦର ଶର୍ମାଙ୍କ ନେତୃତ୍ୱରେ ଆମର ସ୍ଥାନୀୟ କର୍ମୀଙ୍କ ଦଳ ସହିତ ନିରନ୍ତର ଯୋଗାଯୋଗରେ ଅଛି । ସେ ଆହୁରି କହିଛନ୍ତି ଯେ କିଛି ସମୟ ପୂର୍ବରୁ, ମୁଁ ଉଧମପୁରର ଡେପୁଟି କମିଶନର ଶ୍ରୀ ମିଙ୍ଗା ଶେର୍ପାଙ୍କ ସହ କଥା ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯଥା ସମ୍ଭବ ସହାୟତା ପାଇଁ ଚେଷ୍ଟା କରାଯାଉଛି । ଗୁରୁତର ଆହତଙ୍କୁ ଏୟାରଲିଫ୍ଟ ପାଇଁ ବ୍ୟବସ୍ଥା କରାଯାଉଛି ।

