ଭେନେଜୁଏଲା ବିଶ୍ୱର ସର୍ବବୃହତ ତୈଳ ଭଣ୍ଡାର ଥିବା ଦେଶଗୁଡ଼ିକ ମଧ୍ୟରେ ଅନ୍ୟତମ। ଆମେରିକାର ଆମେରିକାର ଶକ୍ତି ସୂଚନା ପ୍ରଶାସନ (EIA) ଆକଳନ ଅନୁସାରେ, ଭେନେଜୁଏଲା ପାଖରେ ପ୍ରାୟ ୩୦୩ ବିଲିୟନ ବ୍ୟାରେଲ ଅଶୋଧିତ ତୈଳ ରହିଛି। ଏହା ବିଶ୍ୱର ମୋଟ ତୈଳ ଭଣ୍ଡାରର ପ୍ରାୟ ୧୭ ପ୍ରତିଶତ। ତେବେ ଏତେ ବଡ଼ ଭଣ୍ଡାର ଥିବା ସତ୍ତ୍ୱେ ଭେନେଜୁଏଲାର ତୈଳ ଉତ୍ପାଦନ ବହୁତ କମ୍। ଦୁର୍ବଳ ଭିତ୍ତିଭୂମି ଓ ଅନ୍ୟାନ୍ୟ ସମସ୍ୟା କାରଣରୁ ଦେଶଟି ବିଶ୍ୱର ମୋଟ ତୈଳ ଉତ୍ପାଦନର ମାତ୍ର ପ୍ରାୟ ୧ ପ୍ରତିଶତ ଉତ୍ପାଦନ କରୁଛି।
ଆମେରିକୀୟ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ଏହି ଚୁକ୍ତି ଭେନେଜୁଏଲାର ଅର୍ଥନୀତିକୁ ପୁଣି ଗଢ଼ିବାରେ ସହାୟକ ହେବ। ତାଙ୍କ ଅନୁସାରେ, ଏହି ଚୁକ୍ତି ମାଧ୍ୟମରେ ଭେନେଜୁଏଲାକୁ ପ୍ରାୟ ୧୦୦ ବିଲିୟନ ଡଲାରର ବେସରକାରୀ ନିବେଶ ଆସିପାରେ। ଏହା ସହ ହଜାର ହଜାର ଉଚ୍ଚ ବେତନର ଚାକିରି ସୃଷ୍ଟି ହେବା ସହ ଭେନେଜୁଏଲାର ଅର୍ଥନୀତିର ପୁନର୍ନିର୍ମାଣକୁ ଗତି ମିଳିବ ବୋଲି ରୁବିଓ କହିଛନ୍ତି।
ତେବେ ଏହି ଚୁକ୍ତି ନେଇ ଭେନେଜୁଏଲା ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ କୌଣସି ନିଶ୍ଚିତିକରଣ ଦିଆଯାଇନାହିଁ। ଚୁକ୍ତିର ସମ୍ପୂର୍ଣ୍ଣ ସର୍ତ୍ତ ଓ ଆମେରିକା କିପରି ୬୫ ବିଲିୟନ ବ୍ୟାରେଲ ତୈଳ ଭଣ୍ଡାର ଉପରେ ନିୟନ୍ତ୍ରଣ ନେବ, ସେନେଇ ମଧ୍ୟ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିନାହିଁ।
ଟ୍ରମ୍ପଙ୍କ ଏହି ଘୋଷଣା ଭେନେଜୁଏଲାର ବିଶାଳ ତୈଳ ସମ୍ପଦ ଉପରେ ଆମେରିକାର ଆଗ୍ରହକୁ ପୁଣି ଥରେ ସାମ୍ନାକୁ ଆଣିଛି। ଆଗାମୀ ଦିନରେ ଏହି ଚୁକ୍ତିର ସର୍ତ୍ତ, ନିବେଶ ଏବଂ ତୈଳ ଉତ୍ପାଦନ ଉପରେ ଏହାର ପ୍ରଭାବ କ’ଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିବ।
