ଯାଜପୁର : ସ୍ତ୍ରୀକୁ ମନାଇବାକୁ ଆସିଥିଲା ସ୍ୱାମୀ, କିନ୍ତୁ ଜୋତାମାଳ ପିନ୍ଧାଇଲା ଶ୍ୱଶୂର । ! ମୁହଁରେ ରଙ୍ଗ ମାରି ରାସ୍ତାରେ ଚଲାଇଲା । ଜ୍ବାଇଁଙ୍କ ବେକରେ ଜୋତାମାଳ ଝୁଲାଇ ବଜାର ବୁଲାଇଲେ ଶ୍ୱଶୁର । ଯାଜପୁର ଜିଲ୍ଲା ବିଂଝାରପୁର ଥାନା କଲ୍ୟାଣପୁରରେ ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି । ଖବର ପାଇ ବିଂଝାରପୁର ପୋଲିସ ତଦନ୍ତ ଚଳାଇଥିଲେ ମଧ୍ୟ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।
ସୂଚନା ଅନୁଯାୟୀ, କଲ୍ୟାଣପୁର ପଞ୍ଚାୟତ ବୈରୀବାଗ ଗାଁର ନିରଞ୍ଜନ ଦାସଙ୍କ ଝିଅ ସହିତ ଭଦ୍ରକ ଅଞ୍ଚଳର ଆନନ୍ଦ ଦାସଙ୍କ ବିବାହ ହୋଇଥିଲା । ପାରିବାରିକ କଳହକୁ ନେଇ ଆନନ୍ଦଙ୍କ ପତ୍ନୀ ଘରୁ ରାଗି ବାପଘରକୁ ଚାଲିଆସିଥିଲେ । ପତ୍ନୀଙ୍କୁ ନେବାକୁ ଶ୍ଵଶୁରଘରକୁ ଆସିଥିଲେ ଆନନ୍ଦ । ସେଠାରେ ମଧ୍ୟ ପତ୍ନୀଙ୍କ ସହ ବଚସା ହୋଇଥିଲା । ଏଥିରେ ଶ୍ୱଶୁର ନିରଞ୍ଜନ ଉତକ୍ଷିପ୍ତ ହୋଇ ଜ୍ବାଇଁଙ୍କୁ ମାଡ଼ ମାରିବା ସହ ମୁଣ୍ଡରେ ରଙ୍ଗ ମାରି ବେକରେ ଜୋତାମାଳ ପିନ୍ଧାଇ ରାସ୍ତାରେ ବୁଲାଇଥିଲେ । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏଭଳି ଅମାନୁଷିକ ଘଟଣାକୁ ନିନ୍ଦା କରାଯାଇଛି । ସାମାଜିକ ଗଣମାଧ୍ୟମରୁ ଏହି ଦୃଶ୍ୟ ଦେଖିବା ପରେ ଆଇଆଇସି ବିଲ୍ଵମଙ୍ଗଳ ସେଠୀ କଲ୍ୟାଣପୁରରେ ପହଞ୍ଚି ତଦନ୍ତ କରିଥିବା କହିଛନ୍ତି । ମାତ୍ର ଥାନାରେ କୌଣସି ଅଭିଯୋଗ ହୋଇନଥିବା ସେ ଜଣାଇଛନ୍ତି ।
