ନୂଆଦିଲ୍ଲୀ: ଗତ ୩ ଦିନ ଧରି ଦକ୍ଷିଣ ଲେବାନନରେ ଇସ୍ରାଏଲୀ ସେନାର ଲଗାତାର ଆକ୍ରମଣ ଜାରି ରହିଛି । ଏହି ଆକ୍ରମଣରେ ଅତି କମରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୬୯ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଶିଶୁ, ମହିଳା ଏବଂ ମେଡିକାଲ ଷ୍ଟାଫ୍ ମଧ୍ୟ ରହିଛନ୍ତି । ଲେବାନନର ପବ୍ଲିକ୍ ହେଲ୍ଥ ଏମର୍ଜେନ୍ସି ଅପରେସନ୍ସ ସେଣ୍ଟର ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି । ସେଣ୍ଟରର ତଥ୍ୟ ଅନୁସାରେ, ମାର୍ଚ୍ଚ ୨ ତାରିଖରୁ ଏପର୍ଯ୍ୟନ୍ତ ଇସ୍ରାଏଲୀ ଆକ୍ରମଣରେ ୪ ହଜାର ୩୮୧ ଜଣଙ୍କ ମୃତ୍ୟୁ ହୋଇଛି । ଏହି ସମୟ ମଧ୍ୟରେ ୧୨ ହଜାର ୪୦୨ ଜଣ ଆହତ ହୋଇଛନ୍ତି। ସେହିପରି, ୮ ଅକ୍ଟୋବର ୨୦୨୩ରୁ ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୮ ହଜାର ୯୪୮ରେ ପହଞ୍ଚିଛି । ଆହତଙ୍କ ସଂଖ୍ୟା ୩୦ ହଜାର ୬୩୮କୁ ବୃଦ୍ଧି ପାଇଛି ।
ରବିବାର ସକାଳେ ଇସ୍ରାଏଲ ଡିଫେନ୍ସ ଫୋର୍ସ ବା IDF ହିଜବୁଲ୍ଲାହ ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଥିଲା । IDFର କହିବା ଅନୁସାରେ, ହିଜବୁଲ୍ଲାହର ଯୋଦ୍ଧାମାନେ ଇସ୍ରାଏଲୀ ସୈନିକଙ୍କ ଆଡ଼କୁ ଦୁଇଟି ଡ୍ରୋନ୍ ପଠାଇଥିଲେ। ଇସ୍ରାଏଲୀ ସୈନିକମାନେ ଜବାବୀ କାର୍ଯ୍ୟାନୁଷ୍ଠାନ ନେଇ ଗୋଟିଏ ଡ୍ରୋନ୍କୁ ଧ୍ୱଂସ କରିଥିଲେ । ଏହି ଘଟଣାରେ କୌଣସି ଇସ୍ରାଏଲୀ ସୈନିକ ଆହତ ହୋଇନଥିବା IDF କହିଛି । IDF କହିଛି ଯେ, ଡ୍ରୋନ୍ ଆକ୍ରମଣର ଜବାବରେ ଦକ୍ଷିଣ ଲେବାନନରେ ହିଜବୁଲ୍ଲାହର ଯୋଦ୍ଧା ଏବଂ ଅସ୍ତ୍ର ରଖାଯାଇଥିବା ସ୍ଥାନକୁ ଟାର୍ଗେଟ୍ କରାଯାଇଛି ।
ଇସ୍ରାଏଲୀ ସେନାର ଦାବି ଅନୁସାରେ, ଏହି ଅସ୍ତ୍ରଗୁଡ଼ିକୁ ଇସ୍ରାଏଲୀ ସୈନିକ ଏବଂ ନାଗରିକଙ୍କ ଉପରେ ଆକ୍ରମଣ ପାଇଁ ବ୍ୟବହାର କରାଯାଉଥିଲା । ତୁରନ୍ତ ବିପଦକୁ ଦୂର କରିବା ପାଇଁ ଏହି ଠିକଣାଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିବା IDF କହିଛି । ଏହା ପୂର୍ବରୁ ଗତ ସପ୍ତାହରେ ମଧ୍ୟ ଅଲି ଅଲ-ତାହର ରିଜ୍ ଅଞ୍ଚଳରେ ହିଜବୁଲ୍ଲାହର ଏକ ଭୂତଳ ଢାଞ୍ଚା ଉପରେ ଆକ୍ରମଣ କରି ତାହାକୁ ନିଷ୍କ୍ରିୟ କରିଥିବା IDF ଦାବି କରିଥିଲା । ତେବେ ଦକ୍ଷିଣ ଲେବାନନରେ ଲଗାତାର ଆକ୍ରମଣ ଯୋଗୁଁ ସ୍ଥିତି ଆହୁରି ଚିନ୍ତାଜନକ ହୋଇପଡ଼ିଛି ।
