ଅନ୍ୟପଟେ, ଏହି ଘଟଣାକୁ ନେଇ ପ୍ୟାରିସ୍ ମେୟର ଏମାନୁଏଲ୍ ଗ୍ରେଗୋଆର୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଭାବେ କାମ କରିବାର ଅଧିକାର ରହିଛି ଏବଂ ଏପରି ଭେଦଭାବ ଗ୍ରହଣୀୟ ନୁହେଁ। ଆଇଫିଲ୍ ଟାୱାରର ପରିଚାଳକ SETE ମଧ୍ୟ ସ୍ୱୀକାର କରିଛି ଯେ ପ୍ରତିନିଧି ଦଳ ପକ୍ଷରୁ ମହିଳାଙ୍କ ସହ ସମ୍ପର୍କ ସୀମିତ ରଖିବାକୁ ଅନୁରୋଧ ଆସିଥିଲା। ଏଭଳି ସର୍ତ୍ତ ଗ୍ରହଣ କରାଯିବା ଉଚିତ ନଥିଲା ବୋଲି SETE କହିଛି। ଫ୍ରାନ୍ସର ନ୍ୟାସନାଲ୍ ଆସେମ୍ବଲିର ଅଧ୍ୟକ୍ଷ ୟାଏଲ୍ ବ୍ରାଉନ୍-ପିଭେ ମଧ୍ୟ ଏହି ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ବିଦେଶୀ ଅତିଥିଙ୍କ ଦାବି ପାଇଁ ମହିଳାମାନଙ୍କୁ ପଛକୁ ହଟିବାକୁ କୁହାଯିବା ଗ୍ରହଣୀୟ ନୁହେଁ। ଅତିଥିଙ୍କୁ ସ୍ୱାଗତ କରିବାର ଅର୍ଥ ନିଜ ମୂଲ୍ୟବୋଧକୁ ଛାଡ଼ିଦେବା ନୁହେଁ ବୋଲି ସେ କହିଛନ୍ତି।
ପ୍ୟାରିସ୍: ବିଶ୍ୱପ୍ରସିଦ୍ଧ ଆଇଫିଲ୍ ଟାୱାରକୁ ନେଇ ଫ୍ରାନ୍ସରେ ଏବେ ବଡ଼ ବିବାଦ ଦେଖାଦେଇଛି। ଏକ ହିନ୍ଦୁ ଧାର୍ମିକ ପ୍ରତିନିଧି ଦଳର ଘରୋଇ ଗସ୍ତକୁ ନେଇ କର୍ମଚାରୀଙ୍କ ପ୍ରତିବାଦ ଯୋଗୁ ସୋମବାର ଟାୱାର ଖୋଲିବାରେ ବିଳମ୍ବ ହୋଇଥିଲା। ବିବାଦର କେନ୍ଦ୍ରରେ ରହିଛି ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସଂସ୍ଥା (BAPS) ସହ ଜଡ଼ିତ ପ୍ରାୟ ୧୦୦ ଜଣିଆ ପ୍ରତିନିଧି ଦଳର ଶନିବାର ଗସ୍ତ। ଟ୍ରେଡ୍ ୟୁନିଅନ୍ର ଅଭିଯୋଗ ଅନୁସାରେ, ଦଳଟି ଆଇଫିଲ୍ ଟାୱାର ପରିଦର୍ଶନ କରିବା ସମୟରେ ମହିଳା କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳରୁ ହଟାଇ ଦିଆଯାଇଥିଲା ଏବଂ ସେମାନଙ୍କ ସ୍ଥାନରେ ପୁରୁଷ କର୍ମଚାରୀଙ୍କୁ ରଖାଯାଇଥିଲା।
CGT ୟୁନିଅନ୍ ଏହାକୁ ଲିଙ୍ଗଭିତ୍ତିକ ଭେଦଭାବ ବୋଲି ଅଭିଯୋଗ କରି ପ୍ରତିବାଦ କରିଥିଲା। ଏହାପରେ କର୍ମଚାରୀମାନେ କାମ ବନ୍ଦ କରି ଉତ୍ତରଦାୟିତ୍ବ ଦାବି କରିଥିଲେ। ଫଳରେ ଆଇଫିଲ୍ ଟାୱାରର ଖୋଲିବା ସମୟ ବିଳମ୍ବିତ ହୋଇଥିଲା। ଏହି ଗସ୍ତଟି ପ୍ୟାରିସ୍ ଉପକଣ୍ଠରେ ଏକ ହିନ୍ଦୁ ମନ୍ଦିରର ଉଦ୍ଘାଟନ ସମ୍ପର୍କିତ କାର୍ଯ୍ୟକ୍ରମ ସହ ଜଡ଼ିତ ଥିଲା। BAPS ପକ୍ଷରୁ କୁହାଯାଇଛି ଯେ, ଆଇଫିଲ୍ ଟାୱାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଗସ୍ତର ସମୟ ଧାର୍ଯ୍ୟ କରାଯାଇଥିଲା। ଏହାଦ୍ୱାରା ସାଧାରଣ ପର୍ଯ୍ୟଟକଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ମଧ୍ୟ ଧ୍ୟାନ ଦିଆଯାଇଥିଲା ବୋଲି ସଂଗଠନ କହିଛି। ତେବେ ଘଟଣାକୁ ନେଇ କାହାରି ମନ ଆଘାତ ପାଇଥିଲେ କିମ୍ବା ଅସୁବିଧା ହୋଇଥିଲେ ଏଥିପାଇଁ BAPS ଦୁଃଖ ପ୍ରକାଶ କରିଛି।
