ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡ଼ାଇବାକୁ ଧମକ, ଖଲିସ୍ତାନୀ ସଂଗଠନ ପଠାଇଥିବା ଆଶଙ୍କା

Images

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡ଼ାଇବାକୁ ଧମକ । ଧମକ ମିଳିବା ପରେ ଆତଙ୍କ ଖେଳିଯାଇଛି । ସକାଳ ୮.୩୯ରେ ଦିଲ୍ଲୀ ବିଧାନସଭା ସ୍ପିକରଙ୍କ ଅଫିସିଆଲ ୱେବସାଇଟକୁ ଧମକପୂର୍ଣ୍ଣ ଇମେଲ ଆସିଥିଲା । ଦିଲ୍ଲୀ ବିଧାନସଭା ପରିସରକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଥିଲା । ଇମେଲ ମିଳିବା ପରେ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି ।

ଖବର ମୁତାବକ, ଦିଲ୍ଲୀ ବିଧାନସଭାକୁ ସକାଳ ୮.୩୯ ସମୟରେ ବାଚସ୍ପତିଙ୍କ ଅଫିସିଆଲ ୱେବସାଇଟକୁ ଧମକପୂର୍ଣ୍ଣ ଇମେଲ ଆସିଥିଲା । ବିଧାନସଭା ପରିସରକୁ ବୋମାରେ ଉଡ଼ାଇବାକୁ ସୂଚନା ମିଳିଥିଲା । ଧମକପୂର୍ଣ୍ଣ ଇମେଲ ମିଳିବା ପରେ ବିଧାନସଭା ପରିସରର ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା । ଏହି ଧମକ ଖଲିସ୍ତାନୀ ସଂଗଠନ ଦେଇଥିବା ଜଣାପଡିଛି ।

ତେବେ ଏହାପୂର୍ବରୁ ୧୧ ଜୁଲାଇରେ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାକୁ ଉଡ଼ାଇବାକୁ ଧମକ ମିଳିଥିଲା । ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି କେହି ଜଣେ ଲାଲକିଲ୍ଲାକୁ ବୋମାରେ ଉଡ଼ାଇବାକୁ ଧମକ ଦେଇଥିଲେ । ମୁମ୍ବାଇ ପୋଲିସ ତୁରନ୍ତ ଏହାର ସୂଚନା ଦିଲ୍ଲୀ ପୋଲିସକୁ ଜଣାଇଥିଲା । ପୋଲିସ ତୁରନ୍ତ ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳକୁ ଯାଞ୍ଚ କରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲା ।

ସେହିପରି ଅଗଷ୍ଟ ୧୮ରେ ନାଗପୁରର ୧୨ରୁ ଅଧିକ ସ୍କୁଲକୁ ବୋମା ଧମକ ମିଳିଥିଲା । ଇମେଲ ଜରିଆରେ ଧମକ ମିଳିବା ପରେ ପୋଲିସ ସ୍କୁଲ ପରିସରକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା । କିନ୍ତୁ ପୋଲିସକୁ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିଲା ।

Share