ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର ଅଣାୟତ୍ତ

Images

କଟକ (ବିକ୍ରମ କିଶୋର ସେନାପତି) : ବଜାରରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର ଅଣାୟତ୍ତ ହୋଇପଡ଼ିଥିବାରୁ ସାଧାରଣ ଖାଉଟିଙ୍କ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ଚିଛି। ଚାଉଳ, ଡାଲି ଏବଂ ତେଲ ପରେ ଏବେ ଗହମଜାତ ଦ୍ରବ୍ୟର ମୂଲ୍ୟରେ ଅସ୍ୱାଭାବିକ ବୃଦ୍ଧି ନିମ୍ନ ଓ ମଧ୍ୟବିତ୍ତ ପରିବାରର ମାସିକ ବଜେଟକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି। ସୀମିତ ଆୟ ମଧ୍ୟରେ ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ପାଇଁ ଦୈନନ୍ଦିନ ଖର୍ଚ୍ଚ ତୁଲାଇବା ଏବେ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

ପାଇକାରୀ ବଜାରରେ ଗତ ମାତ୍ର ୧୦ ଦିନ ମଧ୍ୟରେ ଗହମ ଏବଂ ତତ୍‌ସଂଲଗ୍ନ ସାମଗ୍ରୀର ଦର ପ୍ରାୟ ୧୫ରୁ ୨୦ ପ୍ରତିଶତ ବୃଦ୍ଧି ପାଇଛି। ପୂର୍ବରୁ ୪୯ କେଜି ବିଶିଷ୍ଟ ଅଟା ବସ୍ତା ୧୩୦୦ରୁ ୧୪୦୦ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା ସିଧାସଳଖ ୧୭୦୦ ଟଙ୍କାରେ ପହଞ୍ଚିଛି। ସେହିପରି ସୁଜି ବସ୍ତା ପିଛା ୨୫୦ ଟଙ୍କା ବୃଦ୍ଧି ପାଇ ୨୦୫୦ ଟଙ୍କା ଏବଂ ମଇଦା ବସ୍ତା ପିଛା ୨୦୦ ଟଙ୍କା ବଢ଼ି ୧୭୦୦ ଟଙ୍କାରେ ବିକ୍ରି ହେଉଛି। କେବଳ ଗହମଜାତ ଦ୍ରବ୍ୟ ନୁହେଁ, ପଡ଼ୋଶୀ ରାଜ୍ୟରୁ ଆସୁଥିବା ଫାଇନ୍ ଓ ସୁପର ଫାଇନ୍ ଚାଉଳ କ୍ୱିଣ୍ଟାଲ ପିଛା ୨ରୁ ୩ ହଜାର ଟଙ୍କା ଏବଂ ବିଭିନ୍ନ କିସମର ଡାଲି କ୍ୱିଣ୍ଟାଲ ପିଛା ପ୍ରାୟ ୩୫୦୦ ଟଙ୍କା ମହଙ୍ଗା ହୋଇଛି। କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ହ୍ରାସ କରିବା ପରେ ପାମୋଲିନ ଓ ସୂର୍ଯ୍ୟମୁଖୀ ତେଲ ଦର କିଛି ମାତ୍ରାରେ କମିଥିଲେ ମଧ୍ୟ ସୋରିଷ ତେଲ ଦର କ୍ୱିଣ୍ଟାଲ ପିଛା ପ୍ରାୟ ୨ ହଜାର ଟଙ୍କା ବୃଦ୍ଧି ପାଇ ସାଧାରଣ ଖାଉଟିଙ୍କୁ ବଡ଼ ଝଟକା ଦେଇଛି।

ପାଇକାରୀ ବଜାରର ଏହି ଦରବୃଦ୍ଧିର ସିଧାସଳଖ ପ୍ରଭାବ ଖୁଚୁରା ବଜାର ଉପରେ ପଡ଼ିଛି। ଖୁଚୁରା ମୂଲ୍ୟ ଉପରେ ପ୍ରଶାସନିକ ନିୟନ୍ତ୍ରଣ ଓ ନିୟମିତ ଯାଞ୍ଚର ଅଭାବ ଯୋଗୁଁ ବହୁ ଅସାଧୁ ବ୍ୟବସାୟୀ କୃତ୍ରିମ ଅଭାବ ସୃଷ୍ଟି କରି ମନଇଚ୍ଛା ଚଢ଼ା ଦରରେ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏପରିକି ସାଧାରଣ ପରିବାରଟିଏ ବଜାର ସଉଦା କରିବା ପୂର୍ବରୁ ବାରମ୍ବାର ଚିନ୍ତା କରିବାକୁ ବାଧ୍ୟ ହେଉଛି।

ଅର୍ଥନୈତିକ ବିଶେଷଜ୍ଞଙ୍କ ମତରେ, ଖୁଚୁରା ବଜାରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ)କୁ ଅନୁମତି ଏବଂ ବୃହତ କର୍ପୋରେଟ୍ ପୁଞ୍ଜିପତିଙ୍କ ପ୍ରବେଶ ଯୋଗୁଁ ବଜାର ବ୍ୟବସ୍ଥାର ସନ୍ତୁଳନ ବିଗିଡ଼ିଯାଇଛି। ପୂର୍ବରୁ ମୁକ୍ତ ବଜାରରେ ଦରଦାମ ୨ରୁ ୫ ପ୍ରତିଶତ ମଧ୍ୟରେ ସ୍ୱାଭାବିକ ଭାବେ ବୃଦ୍ଧି କିମ୍ବା ହ୍ରାସ ପାଉଥିବା ବେଳେ, ଏବେ ରାତାରାତି ଅସ୍ୱାଭାବିକ ଭାବେ ବୃଦ୍ଧି ଘଟୁଛି। କଳାବଜାରୀ ଉପରେ ରୋକ୍ ଲଗାଇବା ସହ ଖୁଚୁରା ବଜାରକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ତୁରନ୍ତ ଠୋସ୍ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ସ୍ଥିତି ଆହୁରି ସଙ୍ଗିନ ହେବାର ଆଶଙ୍କା ପ୍ରକାଶ ପାଇଛି।

Share