ପାର୍ବଣରେ ମହଙ୍ଗା ମାଡ଼; ବାଣିଜ୍ୟିକ ଗ୍ୟାସ ମୂଲ୍ୟ ୧୭ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

Commercial lpg 1024x576

ନୂଆଦିଲ୍ଲୀ: ପାର୍ବଣ ଋତୁରେ ଗ୍ରାହକଙ୍କୁ ଡବଲ ଝଟକା ଲାଗିଛି। କାର୍ତ୍ତିକ ମାସ ପ୍ରାରମ୍ଭରୁ ଦରଦାମ ଆକାଶଛୁଆଁ ହୋଇଥିବାବେଳେ ଦୀପାବଳି ପୂର୍ବରୁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ବାଣଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ବଢ଼ାଇ ଦେଇଛନ୍ତି। ଦେଶରେ ବିଭିନ୍ନ ରାଜ୍ୟରେ ସିଲିଣ୍ଡର ପିଛା ମୂଲ୍ୟ ରବିବାର ୧୭ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଖାଲି ସେତିକି ନୁହେଁ, ଶ୍ରମିକଙ୍କ ସଞ୍ଚୟ ଉପରେ ମଧ୍ୟ ଚାପ ବଢ଼ିଛି। ୫ କେଜିଆ ଫ୍ରି-ଟ୍ରେଡ ଏଲପିଜି (ଏଫଟିଏଲ) ମୂଲ୍ୟ ସିଲିଣ୍ଡର ପିଛା ୨.୫ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ତେବେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସେହିପରି ବିମାନ ଇନ୍ଧନ ମୂଲ୍ୟ (ଏଟିଏଫ) ଲିଟର ପିଛା ୧.୩୭ ଟଙ୍କା ବଢ଼ାଇ ଦିଆଯାଇଛି। ଏବେ ଏହାର ଲିଟର ପିଛା ମୂଲ୍ୟ ୧୩୮.୫ ଟଙ୍କାକୁ ବୃଦ୍ଧି ପାଇଛି। ଏହାକୁ ମିଶାଇ ଜୁଲାଇ ପରଠାରୁ ଚତୁର୍ଥ ଥର ପାଇଁ ଏଟିଏଫ ମୂଲ୍ୟ ବଢ଼ା ଯାଇଛି।

ସୂଚନା ଅନୁଯାୟୀ, କଲକାତାରେ ୧୯ କେଜି ବିଶିଷ୍ଟ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ସର୍ବାଧିକ ୧୭ ଟଙ୍କା ବୃଦ୍ଧି ପାଇଛି। ଏବେ ଏହା ୨୯୭୧ ଟଙ୍କାରେ ପହଞ୍ଚି ଯାଇଛି। ସେହିପରି ରାଜଧାନୀ ଦିଲ୍ଲୀ ୧୦ ଟଙ୍କା, ମୁମ୍ବଇରେ ୧୦.୫୦ ଟଙ୍କା ଓ ଚେନ୍ନଇରେ ୧୧.୫୦ ଟଙ୍କା ବଢ଼ିଛି। ଜୁଲାଇ ଓ ଅଗଷ୍ଟ ପରଠାରୁ ତୃତୀୟ ଥର ପାଇଁ ଦର ବୃଦ୍ଧି ପାଇଛି। ଏହାର ପ୍ରଭାବ ଲୋକଙ୍କ ଉପରେ ପଡ଼ିବ। ଆଗାମୀ ଦିନରେ ରେସ୍ତୋରାଁ ମାଲିକମାନେ ଚା’, ଜଳଖିଆ ଓ ବ୍ୟଞ୍ଜନର ମୂଲ୍ୟ ବଢ଼ାଇ ପାରନ୍ତି। ବିବାହ ଭୋଜି ମଧ୍ୟ ମହଙ୍ଗା ହୋଇପାରେ। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅକ୍ଟୋବରରେ ଭାରତର ଏଲ୍‌ପିଜି ବ୍ୟବହାର ବାର୍ଷିକ ଭିତ୍ତିରେ ୧୨.୧ ପ୍ରତିଶତ ହ୍ରାସ ପାଇ ୨.୬୧୪ ନିୟୁତ ମେଟ୍ରିକ୍ ଟନ୍ ରହିଛି। ତେବେ ଏହି ସମୟ ମଧ୍ୟରେ ଡିଜେଲ୍ ଓ ପେଟ୍ରୋଲ ବ୍ୟବହାର ଯଥାକ୍ରମେ ୧୧.୭ ପ୍ରତିଶତ ଓ ୩.୧ ପ୍ରତିଶତ ବୃଦ୍ଧି ପାଇଛି।

Share