IMAGE

ପୁଣି ଅଶାନ୍ତ ହେଲା ମଣିପୁର। ଇଣ୍ଟରନେଟ୍‌ ସେବା ଉପରୁ ସୋମବାର ବ୍ୟାନ୍‌ ହଟିବା ପରେ ପୁଣିଥରେ ଏଠାରେ ହିଂସା ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ପରସ୍ପରକୁ ଉପରକୁ ଗୁଳିମାଡ଼ କରିଛନ୍ତି ଦୁଇ ଗୋଷ୍ଠୀ। ଏଥିରେ ଉପୟ ପକ୍ଷରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ ଏହି ସଂଘର୍ଷ ଘଟିଛି। ମଣିପୁରର ଟେଙ୍ଗନୋପାଲ ଜିଲ୍ଲାର ସାଇବେଲ ନିକଟରେ ଲେଟୁଥି ଗାଁରେ ଦୁଇ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଗୁଳିବିନିୟ ହୋଇଥିଲା। ଇଣ୍ଟରନେଟ୍‌ ସେବା ଉପରେ ଲାଗିଥିବା ବ୍ୟାନ୍‌ ହଟିବା ପରେ ଏହି ହିଂସା ଘଟଣା ସାମ୍ନାକୁ ଆସିଛି।

ଜଣେ ସେନା ଅଧିକାରୀଙ୍କ କହିବା ମୁତାବକ, ୧୩ ଜଣଙ୍କ ମୃତଦେହ ମିଳିଛି। ସେମାନଙ୍କ ନିକଟରୁ କୌଣସି ହତିଆର ଜବତ ହୋଇନାହିଁ। ତେବେ ସମସ୍ତ ମୃତକ ଲିଥୁ ଅଞ୍ଚଳର ନୁହନ୍ତି, ଏମାନେ ଅନ୍ୟ କୌଣସି ଅଞ୍ଚଳରୁ ଆସିଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୂରା ମାମଲାର ତଦନ୍ତ ଜାରି ରଖିଛି।

ଉଲ୍ଲେଖଯୋଗ୍ୟ, ମେ’ ୩ ତାରିଖରୁ ମଣିପୁରରେ ଅଶାନ୍ତ ଲାଗି ରହିଛି। ଦୁଇ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ଅତିକମ୍‌ରେ ୧୮୨ ଜଣ ପ୍ରାଣ ହରାଇଛନ୍ତି। ଏଥିସହ ୫୦ ହଜାରରୁ ଅଧିକ ଲୋକେ ବାସ ହରା ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ମଣିପୁରରେ ମେ’ ୩ ତାରିଖକୁ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଥିଲା। ତେବେ ୭ ମାସ ପରେ ଆଜି ଏହି ବ୍ୟାନ୍‌ ହଟିବା ପରେ ପୁଣିଥରେ ଏଠି ହିଂସା ଦେଖିବାକୁ ମିଳିଛି।

Share